Latest Odisha News

BREAKING NEWS

Panchayati Raj Day: ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ତେଜିଲା ରାଜନୀତି: ୧୯୯୫ ଚକ୍ରାନ୍ତ ଓ ପଞ୍ଚାୟତିରାଜ ଦିବସ ପ୍ରସଙ୍ଗ ଉଠାଇ ନୂଆ ଫ୍ରଣ୍ଟକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଉଠିଛି। ‘ବିଜୁ ଲିଗାସୀ’ ବା ବିଜୁଙ୍କ ଆଦର୍ଶର ପ୍ରକୃତ ଉତ୍ତରାଧିକାରୀ କିଏ, ତାହାକୁ ନେଇ ଏକ ନୂଆ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଛି। ବିଜୁ ବାବୁଙ୍କ ନାମରେ କିଛି ଅସନ୍ତୁଷ୍ଟ ତଥା ପୂର୍ବତନ ନେତା ଏକାଠି ହୋଇ ଏକ ନୂଆ ଫ୍ରଣ୍ଟ (ନୂଆ ସାମ୍ମୁଖ୍ୟ) ଗଠନ କରୁଥିବା ବେଳେ ବିଜେଡି ନେତାମାନେ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ବିଜେଡିର ପୂର୍ବତନ ସାଂସଦ ମହେଶ ସାହୁ ଏହି ନୂଆ ଫ୍ରଣ୍ଟ ତିଆରି କରୁଥିବା ନେତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ଭାବେ ମୃତ ହୋଇଯାଇଥିବା ଲୋକମାନେ ଏବେ ବିଜୁ ବାବୁଙ୍କ ନାମ ନେଇ ନିଜକୁ ସମାଜରେ ଜୀବିତ ଓ ଚଳଚଞ୍ଚଳ ଦେଖାଇବାକୁ ପ୍ରୟାସ କରୁଛନ୍ତି। ତାଙ୍କ ଭାଷାରେ, “ନୂଆ ଫ୍ରଣ୍ଟ ଗଠନ କରିବାକୁ କାହାକୁ ମନା ନାହିଁ। କିନ୍ତୁ ଏମିତି କିଛି ନକଲେ ସେମାନେ ଲୋକଲୋଚନକୁ ଆସିବେ କେମିତି? ଯେଉଁମାନେ ଏବେ ବିଜୁ ଲିଗାସୀ କଥା କହି ତାଙ୍କୁ ମନେ ପକାଉଛନ୍ତି, ସେମାନେ ଅତୀତରେ କେତେଥର ବିଜୁ ବାବୁଙ୍କ ପାଖକୁ ଯାଇ ଫୁଲମାଳ ଦେଇଛନ୍ତି? ମାର୍ଚ୍ଚ ୫ ତାରିଖରେ କିଏ କେଉଁଠି ଥିଲେ?”

ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟ ସରକାର ଯେତେବେଳେ ପଞ୍ଚାୟତିରାଜ ଦିବସକୁ ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖକୁ ଘୁଞ୍ଚାଇଦେଲେ, ସେତେବେଳେ ଏହି ନେତାମାନେ କାହିଁକି ପ୍ରତିବାଦ କଲେ ନାହିଁ? ନବୀନ ବାବୁ କେଉଁ ଟ୍ରଷ୍ଟ ଗଠନ କରିବେ ସେଥିପାଇଁ ଏମାନଙ୍କ ମୁଣ୍ଡ କାହିଁକି ବିନ୍ଧୁଛି ବୋଲି ମହେଶ ସାହୁ ପ୍ରଶ୍ନ କରିଛନ୍ତି। ବିଜେଡି ଏବେ ବି ଲୋକଙ୍କ ହୃଦୟରେ ଅଛି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ଭବିଷ୍ୟତ କେତେ ଉଜ୍ଜ୍ୱଳ ତାହା ପ୍ରମାଣିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ବିଶେଷ କରି ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଅନ୍ୟମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ଜୀବନସାରା ବିଜୁ ବାବୁଙ୍କୁ ଗାଳି ଦେଉଥିଲେ ଏବଂ ଜାତୀୟ ସ୍ତରରେ ତାଙ୍କୁ ହଇରାଣ କରୁଥିଲେ, ସେମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି। ବହୁ ଦିନ ପରେ ହେଲେ ବି ସେମାନେ ମାନିଲେ ଯେ ବିଜୁ ବାବୁ ଭଲ କାମ କରୁଥିଲେ, ଏହା ଖୁସିର କଥା।”

୧୯୯୫ ମସିହାରେ ବିଜୁ ବାବୁଙ୍କୁ ନିର୍ବାଚନରେ ହରାଇବା ପାଇଁ ହୋଇଥିବା ଚକ୍ରାନ୍ତ କଥା ସେ ମନେ ପକାଇଛନ୍ତି। ପ୍ରମିଳା ମଲ୍ଲିକ କହିଛନ୍ତି, “ଖାଲି ବସିକି ଟାଇମ୍ ପାସ୍ କରିବା ଅପେକ୍ଷା ସେମାନେ ବିଜୁ ବାବୁଙ୍କ ପାଇଁ ସରକାରଙ୍କୁ କିଛି ନୂଆ ପ୍ରସ୍ତାବ ଦିଅନ୍ତୁ। ବିଜୁ ଲିଗାସୀ ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ ପାଳନ କଲେ ବହୁତ ଭଲ କଥା, ଭୁବନେଶ୍ୱରରେ ବୁଲି ସମସ୍ତଙ୍କ ଶ୍ରାଦ୍ଧବାର୍ଷିକୀ ପାଳିବାକୁ ଗୋଟେ ଟିମ୍ ହିଁ ଦରକାର ଥିଲା।” ନବୀନ ନିବାସ ସମସ୍ତଙ୍କୁ ସୁଯୋଗ ଦିଏ, ନବୀନ ବାବୁ କାହାକୁ ଟିକେଟ୍ ଦେବେ ତାହା ଦଳର ସଭାପତି ଭାବେ ସେ ନିଜେ ବୁଝିବେ; ବିଜୟ ମହାପାତ୍ର କ’ଣ ଦଳର ମାଲିକ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ପରେ ‘ବିଜୁ ଲିଗାସୀ’କୁ ନେଇ ଏକ ବଡ଼ ଧରଣର ଛକାପଞ୍ଝା ଆରମ୍ଭ ହୋଇଛି। ଗୋଟିଏ ପଟେ ବିଜେଡି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀକୁ ‘ପ୍ରବାଦ ପୁରୁଷ ଦିବସ’ ଭାବେ ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ପାଳନ କରୁଛି ଏବଂ ନିଜକୁ ତାଙ୍କ ଆଦର୍ଶର ଏକମାତ୍ର ଉତ୍ତରାଧିକାରୀ ଭାବେ ଦର୍ଶାଉଛି।

ଅନ୍ୟପଟେ ଦିଲୀପ ରାୟ, ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ଶତପଥୀ ଏବଂ ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ନେତାମାନେ ଏକାଠି ହୋଇ ‘ଓଡ଼ିଶା ନାଗରିକ ମଞ୍ଚ’ ବ୍ୟାନରରେ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି ନେତାମାନଙ୍କ ଯୁକ୍ତି ହେଉଛି ଯେ, ବିଜୁ ବାବୁଙ୍କ ଲିଗାସୀ କେବଳ ଗୋଟିଏ ରାଜନୈତିକ ଦଳ କିମ୍ବା ପରିବାରର ପୈତୃକ ସମ୍ପତ୍ତି ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କର।

ରାଜ୍ୟର ନୂଆ ସରକାର ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ବିଭିନ୍ନ ଯୋଜନାର ନାମ ବଦଳାଇବା ଏବଂ ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନ କରିବା ପରେ ଏହି ଲିଗାସୀ ରାଜନୀତି ଜୋର ଧରିଛି। ଆଗାମୀ ଦିନରେ ଏହି ରାଜନୈତିକ ବୟାନବାଜି ଓଡ଼ିଶା ରାଜନୀତିରେ କେଉଁ ନୂଆ ସମୀକରଣ ତିଆରି କରୁଛି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.