Latest Odisha News

BREAKING NEWS

ବାତ୍ୟା ମିଗ୍‌ଜୋମ୍‌ରେ ଫସିଲେ ଅମୀର ଖାନ୍‌

ମୁମ୍ବାଇ: ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଅମୀର ଖାନ୍ । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ସହ ଅମୀର ଖାନ୍‌ଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ରେସ୍କ୍ୟୁ ଟିମ୍ ସହ ଅମୀର ଡଙ୍ଗାରେ ବସିଥିବା ନଜର ଆସିଛନ୍ତି । ଦୀର୍ଘ ୪ ଘଣ୍ଟା ପରେ ଏହି ଦୁଇ ଷ୍ଟାରଙ୍କୁ ଉଦ୍ଧାର କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଆଡ଼େ ଖାଲି ପାଣି । ଫଳରେ ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି । ଏପରିକି ଘରେ ମଧ୍ୟ ବର୍ଷା ପାଣି ପଶି ଯାଇଛି । ଲୋକେ ଘରେ ଏକ ପ୍ରକାର ବନ୍ଦୀ ହୋଇ ଅଛନ୍ତି । ନିକଟରେ ସାଉଥ ଅଭିନେତା ବିଷ୍ଣୁ ତାଙ୍କ ଘରେ ପାଣି ପଶିଯାଇଥିବା ଓ ମୋବାଇଲ୍ ନେଟ୍‌ୱର୍କ କି ୱାଇଫାଇ କାମ କରୁ ନ ଥିବା ନେଇ ଫଟୋ ପୋଷ୍ଟ କରି ସହାୟତା ମାଗିଥିଲେ । ଏହାପରେ ଉଦ୍ଧାରକାରୀ ଦଳ ଆଜି ତାଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କ ସହ ଅମୀର ଖାନ୍‌ଙ୍କୁ ମଧ୍ୟ ରେସ୍କ୍ୟୁ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅଭିନେତା ଅମୀର ଖାନ୍ ଏବେ ଚେନ୍ନାଇରେ ଅଛନ୍ତି । ଚେନ୍ନାଇରେ ତାଙ୍କ ମା’ ଜୀନତ ହୁସେନଙ୍କ ଚିକିତ୍ସା ଚାଲିଛି । ଏଥିପାଇଁ ଅକ୍ଟୋବର ମାସରୁ ଚେନ୍ନାଇକୁ ସିଫ୍ଟ ହୋଇଛନ୍ତି ଅମୀର । ଚେନ୍ନାଇକୁ ଯିବା ପରେ ଆମୀର ଦୀର୍ଘ ଦିନ ହେବ ବଲିଉଡ ଠାରୁ ଦୂରେଇ ଯାଇଥିବା କୁହାଯାଉଛି ।

Leave A Reply

Your email address will not be published.