Latest Odisha News

BREAKING NEWS

ଆପ୍ ର ୧୨ ତମ ସ୍ଥାପନା ଦିବସ;ସିସୋଦିଆଙ୍କୁ ମନେପକାଇଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟି (ଆପ୍)ର ୧୨ ତମ ସ୍ଥାପନା ଦିବସ । ଏହି ଅବସରରେ ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ୨୦୧୨ ମସିହା ଆଜିର ଦିନରେ ଆମ୍ ଆଦମୀ ପାର୍ଟି ସ୍ଥାପନ ହୋଇଥିଲା । ଆନ୍ଦୋଳନର ଗର୍ଭରୁ ବାହାରିଥିବା ଏହି ଛୋଟ ଦଳ ଖୁବ୍ ଶୀଘ୍ର ଏକ ଜାତୀୟ ଦଳ ହୋଇଛି । ଭାରତ ଇତିହାସରେ ଦ୍ରୁତ ଅଭିବୃଦ୍ଧିଶୀଳ ଦଳ ହେବାକୁ ଆମ୍ ଆଦମୀ ପାର୍ଟି ଏକ ଚମତ୍କାରଠାରୁ କମ୍ ନୁହେଁ ବୋଲି ଆପ୍ ଅଧ୍ୟକ୍ଷ କହିଛନ୍ତି ।

ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏହି ୧୧ ବର୍ଷ ମଧ୍ୟରେ ଦେଶବାସୀ ଆମକୁ ବହୁତ ଆଶୀର୍ବାଦ ଦେଇଛନ୍ତି । ଜନସାଧାରଣଙ୍କ ଆଶୀର୍ବାଦରେ ଆମର ଦୁଇଟି ରାଜ୍ୟରେ ସରକାର ଏବଂ ଅନ୍ୟ ଦୁଇଟି ରାଜ୍ୟରେ ଆମର ବିଧାୟକ ଗଠନ ହୋଇପାରିଛି । ସେ କହିଛନ୍ତି ଯେ ଆଜି ଆମ୍ ଆଦମୀ ପାର୍ଟି ପ୍ରତ୍ୟେକ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୋର ମନେ ଅଛି ଯେ, ଆନ୍ଦୋଳନ ସମୟରେ ଲୋକମାନେ ପଚାରିଥିଲେ ଯେ ଆମ୍ ଆଦମୀ ପାର୍ଟି ଦୁର୍ନୀତିଗ୍ରସ୍ତ ହେବ ନାହିଁ ତ ।

ମୁଁ ସେହି ଲୋକଙ୍କୁ କହିବାକୁ ଚାହେଁ ଯେ, ‘ଗତ ୧୧ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରାଯାଇ ଯେତିକି ହଇରାଣ କରାଯାଇଛି ଏମିତି କାହାକୁ ହଇରାଣ କରାଯାଇନଥିବ । ଏହି ୧୧ ବର୍ଷରେ, ଆମ ବିରୁଦ୍ଧରେ ୨୫୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିଲା । ଇଡି, ସିବିଆଇ, ଆଇଟି ପରି ସମସ୍ତ ଏଜେନ୍ସି ଆମ ବିରୁଦ୍ଧରେ ଲଗାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ପ୍ରମାଣ ମିଳିନାହିଁ । ଏପରିକି ଗୋଟିଏ ପଇସାର ଅପବ୍ୟବହାର ହୋଇନାହିଁ, କିମ୍ବା ଗୋଟିଏ ପଇସା ର ମଧ୍ୟ ଏପଟ ସେପଟ ହୋଇନାହିଁ । ଏହା ହେଉଛି ଆମ୍ ଆଦମୀ ପାର୍ଟିର ସଚ୍ଚୋଟତାର ପ୍ରମାଣ’ ।

ଅନ୍ୟପଟେ ଏହି ଅବସରରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଶ ସସୋଦିଆଙ୍କୁ ମନେପକାଇଛନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି ଏହା ପ୍ରଥମଥର ଯେ, ଆପ୍ ର ପ୍ରତିଷ୍ଠା ଦିବସ ଅବସରରେ ସିସୋଦିଆ ଅନୁପସ୍ଥିତ ଅଛନ୍ତି ।

 

Leave A Reply

Your email address will not be published.