Latest Odisha News

BREAKING NEWS

ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ପୁଣି କ୍ଷମା ମାଗିଲେ

ଭବାନୀପାଟଣା: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିବା ପରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ମେଲ୍ ଦ୍ୱାରା କ୍ଷମା ମାଗିଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଆଜି ପୁଣି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ।

“ମୋ ମନ୍ତବ୍ୟ ଯଦି କାହାକୁ ବ୍ୟଥିତ କରିଥାଏ ତେବେ ମୁଁ ସେଥିଲାଗି ଦୁଃଖ ପ୍ରକାଶ କରୁଛି । ଓଡ଼ିଶା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଓଡ଼ିଶାର ପ୍ରାଚୀନ କିର୍ତ୍ତୀରାଜି ଭାରତୀୟ ସଂସ୍କୃତି ପ୍ରତି ଏକ ବିରାଟ ଅବଦାନ,” ଅଭିଜିତ ଏଏନଆଇ କୁ ଆଜି ଏହା କହିଛନ୍ତି ।

ଟ୍ୱିଟ୍ଟର୍ ଆକାଉଣ୍ଟ ସମ୍ପର୍କରେ ସେ କହିଛନ୍ତି ଏମିତି ମଜାରେ ମୁଁ ଲେଖିଥିଲି । ଏପରି କରିବା ଠିକ୍ ହୋଇନାହିଁ, ଏବଂ ଏହାକୁ ନେଇ ଯାହାବି ସବୁ ଘଟିଗଲା ମୁଁ ଏଥିରୁ ଅନେକ କଥା ଶିଖିଲି ।

ଆସନ୍ତା ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ହାଜର ହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ମୁଁ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହେବି, ଏବଂ ସେଥିଲାଗି ପୂର୍ବ ଦିନ ଅର୍ଥାତ୍ ୨୨ ତାରିଖରେ ଓଡ଼ିଶାରେ ପହଞ୍ଚିବି ।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଅଭିଜିତ କହିଛନ୍ତି, ମୁଁ ବୈଜୟନ୍ତଙ୍କୁ ମାତ୍ର ୨ ଥର ଲାଗି ଭେଟିଛି, ମାତ୍ର ତାଙ୍କ ସହିତ ସେପରି କିଛି ମୋର ବନ୍ଧୁତା ନାହିଁ ।

ସେ ମଧ୍ୟ କହିଛନ୍ତି, ସେ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଯାଇନଥିଲି ।

ଓଡ଼ିଶା ବିଧାନସଭାର କକ୍ଷରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ନିକଟରେ ଅକ୍ଟୋବର ୧୧ତାରିଖ ଦିନ ୧୦.୩୦ ସମୟରେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ହାଜର ହେବାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ନିଜେ ଏହି କମିଟି ଆଗରେ ହାଜର ନ’ହୋଇ ଅଭିଜିତ ପତ୍ର ମାଧ୍ୟମେରେ ନିଜର କ୍ଷମା ପ୍ରାର୍ଥନା କରିଥିବାର ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ ।

ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ ।

ତେବେ ଏସମ୍ପର୍କରେ ଗୃହ କମିଟି ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭାର ଆସନ୍ତା ଅଧିବେଶସନର ପ୍ରଥମ ଦିନରେ ହିଁ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଏହାକି, ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓ ତାଙ୍କ ବନ୍ଧୁ ଆରତୀ ଟିକ୍କୋ ସିଂହ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟର ଯୋଗେ ପୁରୀ ଓ କୋଣାର୍କ ଆକାଶରେ ବୁଲାବୁଲି କରିଥିଲେ । ଏହି ସମୟରେ କୋଣାର୍କ ମନ୍ଦିରର ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଏଥିରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ଅଭିଜିତ ।

Leave A Reply

Your email address will not be published.