Latest Odisha News

BREAKING NEWS

ଜେଲରୁ ଖଲାସ ହେଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଶେଷରେ ଜେଲରୁ ଖଲାସ ହେଲେ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର । ଗତ ଅକ୍ଟୋବର ୨୩ ତାରିଖରୁ ଦୀର୍ଘ ୪୫ ଦିନ ଧରି ଝାରପଡ଼ା ଜେଲରେ ରହିବା ପରେ ଗୁରୁବାର ସନ୍ଧ୍ୟାରେ ଅଭିଜିତ ଖଲାସ ହୋଇଛନ୍ତି । ତାଙ୍କୁ ଗୁରୁବାର ଦିନ ସକାଳେ କୋଣାର୍କର ପ୍ରଥମଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) ଏବଂ ଭୁବନେଶ୍ୱରରେ ସବ-ଡ଼ିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଏସଡ଼ିଜିଏମ) ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଅଭିଜିତଙ୍କୁ ଉଭୟ କୋର୍ଟ ୨୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହିତ ଭବିଷ୍ୟତରେ ସେ ଯେପରି ଓଡ଼ିଶା ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବେ ନାହିଁ ଏହି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ସୋମବାର ଦିନ ଓଡ଼ିଶା ହାଇକୋର୍ଟ ଅଭିଜିତଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ତଳ କୋର୍ଟର ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ସୂଚନା ଦେଇଥିଲେ ।

ପେଟରେ ଯନ୍ତ୍ରଣା ଯୋଗୁଁ ଅଭିଜିତଙ୍କୁ ଡ଼ିସେମ୍ବର ୨ ତାରିଖରେ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ସନ୍ଧ୍ୟାବେଳେ ହସ୍ପିଟାଲରୁ ଡ଼ିସଚାର୍ଜ ହେବାପରେ ଗଣମାଧ୍ୟମକୁ ସୂଚନାଦେଇ ଅଭିଜିତଙ୍କ ଓକିଲ ନିଖିଲ ମେହେରା କହିଥିଲେ, ପ୍ରଥମେ ଅଭିଜିତ ଚେନ୍ନାଇ ଯାଇ ତାଙ୍କ ମାଆଙ୍କୁ ସାକ୍ଷାତ କରିବେ ।

ଜେଲରୁ ଖଲାସ ହେବାପରେ ଅଭିଜିତଙ୍କୁ ତାଙ୍କ ପ୍ରତିକ୍ରିୟା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, “ଥ୍ୟାଙ୍କ୍ ୟୁ” ।

ବଙ୍ଗୀୟ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ନଭେମ୍ବର ୨୦ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କୁ ଜେଲରୁ ଖଲାସ କରିବା ନେଇ ଏକ ପତ୍ର ଲେଖିଥିଲେ, ଯେହେତୁ ତାଙ୍କୁ ଓଡ଼ିଶା ବିଧାନସଭା ତାଙ୍କ ଭୁଲ ଲାଗି କ୍ଷମା କରିଦେଇଛନ୍ତି ତେଣୁ ତାଙ୍କୁ ଖଲାସ କରିବା ଲାଗି ଅନୁରୋଧ କରିଥିଲେ । ସେ ତାଙ୍କର ଭୂଲ ସ୍ୱୀକାର କରିବା ସହିତ ତାଙ୍କର ଏକ କ୍ଷମାପ୍ରାର୍ଥନା ସମ୍ବଳିତ ଏକ ପତ୍ର ଗୃହ କମିଟିରେ ଦାଖଲ କରିଥିଲେ ।

ତାଙ୍କର ଏହି ପତ୍ର ପାଇବା ପରେ, ରାଜ୍ୟ ସରକାର ଡ଼ିସେମ୍ବର ୪ ତାରିଖ ଦିନ ତାଙ୍କର ସମସ୍ତ ମାମଲାକୁ ଉଠାଇନେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Leave A Reply

Your email address will not be published.