Latest Odisha News

BREAKING NEWS

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଚକ୍ରଧର ପାଇକ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଗୁରୁବାର ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଗୁରୁବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ଏହି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ବିଜେଡିରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଚକ୍ରଧର କହିଛନ୍ତି “ ମୁଁ ୧୯୭୪ ମସିହାରେ ବିଜୁ ବାବୁଙ୍କ ‘ଉତ୍କଳ ଭାରତ ପାର୍ଟି’ରେ ଯୋଗ ଦେଇଥିଲି ଏବଂ ଦଳୀୟ ଟିକେଟ ପାଇ ବିଧାୟକ ହୋଇଥିଲି । ରାଜନୀତି କ୍ୟାରିୟରର ଶେଷ ସମୟରେ ମୁଁ ଜଣେ ବିଜେଡିର ସକ୍ରୀୟ ସଦସ୍ୟ ଭାବେ ମୋହନା ନିର୍ବାଚନ ମଣ୍ଡଳୀ ଲୋକଙ୍କ ସେବା କରିବାକୁ ଚାହୁଁଛି”।

ଆହୁରି ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ କି ନାହିଁ ପଚରାଯିବାରେ ସେ କହିଛନ୍ତି, ଏ ନେଇ ଦଳ ଯାହା ନିଷ୍ପତ୍ତି ନେବ। ମୁଁ କୌଣସି ପ୍ରକାର ସର୍ତ୍ତ ରଖି ବିଜେଡିରେ ସାମିଲ ହୋଇନାହିଁ । ମୋତେ ଦଳ ଯେଉଁ ଦାୟିତ୍ୱ ଦେବ, ମୁଁ ତାହାକୁ ନିଷ୍ଠାର ସହ ଗ୍ରହଣ କରିବି।

ଅନ୍ୟପକ୍ଷରେ ୨୦୧୪ ମସିହା ବିଧାନସଭା ନିର୍ବାଚନରେ ଯେତେବେଳେ କଂଗ୍ରେସ ତାଙ୍କୁ ଟିକେଟ୍ ପ୍ରଦାନ ନକଲା ତା ପରଠାରୁ ସେ ଦଳ ଛାଡ଼ି ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଚକ୍ରଧର ପାଇକ ୧୯୭୪ ମସିହାରେ ଉତ୍କଳ ଭାରତ ପାର୍ଟିରୁ ରାମଗିରି ଆସନରୁ ଜିତି ବିଧାନସଭାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୦୯ରେ କଂଗ୍ରେସ ପକ୍ଷରୁ ଟିକେଟ୍ ପାଇ ମୋହନା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭାକୁ ଆସିଥିଲେ।

ଆହୁରି ମଧ୍ୟ ୨୦୧୪ରେ ଯେତେବେଳେ କଂଗ୍ରେସ ତାଙ୍କୁ ଟିକେଟ୍ ପ୍ରଦାନ କରିନଥିଲା। ସେତେବେଳେ ସେ ମୋହନାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ମଧ୍ୟ ନିର୍ବାଚନ ଜିତି ପାରିନଥିଲେ ।

Leave A Reply

Your email address will not be published.