Latest Odisha News

BREAKING NEWS

ଆଜି ଆସୁଛି ସୁପ୍ରିମ୍ ଶୁଣାଣି: ଅଭିଯୁକ୍ତ ଅଭିଜିତଙ୍କ ଓଡ଼ିଶା ସମ୍ପର୍କରେ ଅଶାଳୀନ ଟିପ୍ପଣୀ ମାମଲା

ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗାଳୀ ସାମ୍ବାଦିକ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ସାମ୍ବାଦିକ, ବିଧାୟକ ତଥା ଓଡ଼ିଶା ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟ ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ ।

ଓଡ଼ିଶା ସରକାର ବନାମ ଅଭିଜିତ ଆୟାର ମିତ୍ରଙ୍କ ମଧ୍ୟରେ ଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଏ ଏମ ଖାନୱିଲକର ଶୁଣାଣି କରିବେ । ଏନେଇ ଆଜି ଓଡ଼ିଶାର କୋଟି କୋଟି ଜନସାଧାରଣ ଶୁଣାଣିକୁ ଅପେକ୍ଷା କରିଛନ୍ତି ।

ଗତ ସେପ୍ଟେମ୍ବର ୨୭ ତାରିଖରେ ଆପେକ୍ସ କୋର୍ଟ ଅଭିଯୁକ୍ତ ଅଭିଜିତଙ୍କ ଜାମିନ ଆବେଦନକୁ ଅକ୍ଟୋବର ୫କୁ ବୃଦ୍ଧି କରିଥିଲେ । ଏହା ପୂର୍ବରୁ ନୂଆଦିଲ୍ଲୀଠାରେ ଓଡ଼ିଶା ପୋଲିସ ଦ୍ୱାରା ଏହି ବଙ୍ଗୀୟ ସାମାଦିକ ଜଣକ ଗିରଫ ହୋଇ ଜାମିନରେ ଆସିଥିଲେ । ତେବେ ଓଡ଼ିଶା ବିଧାନସଭାରେ ଏହି ଘଟଣାର ତଦନ୍ତ ପରିସରକୁ ଆଣି ଏକ ଗୃହ କମିଟି ଗଠନ କରାଯାଇଥିଲା । ଏହି ଗୃହ କମିଟିରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ଦଳର ସଦସ୍ୟ ରହିଥିଲେ ।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳର ଅନ୍ତିମ ଦିବସ । ଆଜି ଏହି ଘଟଣାର ଏକ ନିର୍ଣ୍ଣାୟକ ଫଇସଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇନ ବିଶାରଦ ମାନେ ଆଶା କରିଛନ୍ତି ।

ସୂଚନାଯୋଗ୍ୟ ସାମ୍ବାଦିକ ମିତ୍ର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟରରେ କୋଣାର୍କ ଯାଇ ଏକ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ, ପରେ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଏହାକୁ ସେ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଦେଇଥିଲେ ।

ଏହାଛଡ଼ା, ଏହି ସାମ୍ବାଦିକ ଜଣକ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଦ୍ୱାରା ଉଡ଼ି ବିଭିନ୍ନ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ ।

ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିବା ଏହି ଭିଡ଼ିଓଟିକୁ ସେ ତାଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ସାମ୍ବାଦିକା ଆରତୀ ଟିକ୍କୋ ସିଂହଙ୍କ ସହିତ ହେଲିକପ୍ଟରରେ ଯୋଗେ ଯାଉଥିବା ସମୟରେ ଉତ୍ତୋଳନ କରିଥିଲେ ।

ଚିଲିକାରେ ହେଲିକପ୍ଟର ଚଳାଇଥିବା ଅଭିଯୋଗରେ ସାଂସଦ ବୈଜୟନ୍ତ ପଣ୍ଡା ଚଳାଉଥିବା ହେଲିକପ୍ଟରଟିକୁ ପୋଲିସ ଜବତ କରିଥିଲା ।

Leave A Reply

Your email address will not be published.