Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ସାନଘାଗରା…

ଆମ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ପ୍ରକୃତିର ଐଶ୍ୱର୍ଯ୍ୟତାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସମୃଦ୍ଧିଶାଳୀ । ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ପ୍ରକୃତରେ ଭାବୁକ, କବି ତଥା ପ୍ରକୃତିପ୍ରେମୀ ମଣିଷମାନଙ୍କୁ ସ୍ତବ୍ଧ କରିଦେଇଥାଏ ।

ଓଡ଼ିଶାରେ ଅନେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି ସେମଧ୍ୟରୁ ସାନଘାଗରା ପର୍ଯ୍ୟଟକଙ୍କର ଅତିପ୍ରିୟ ପର୍ଯ୍ୟଟନସ୍ଥଳୀ ।

ପ୍ରକୃତିପ୍ରେମୀ ସବୁବେଳେ ବଣ-ଜଙ୍ଗଲ ଘେରା ପାହାଡ଼-ପର୍ବତରେ ସମୟ କାଟିବାକୁ ଭଲ ପାଆନ୍ତି । ପ୍ରକୃତି କୋଳରେ ନିଜକୁ ହଜାଇଦେବାକୁ ଚାହୁଁଥିବା ବ୍ୟକ୍ତି ଥରେ କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ ଦେଖି ଆସିବା ଉଚିତ୍ ।

ଏହାର ବିଶେଷତ୍ୱ ହେଉଛି ଏହା ଏକ ସୁନ୍ଦର ପ୍ରାକୃତିକ ଜଳପ୍ରପାତ ।


କେନ୍ଦୁଝର ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି ଏହି ସାନଘାଗରା । ସାନଘାଗରା ଠାରୁ ୩କି.ମି. ଦୂରରେ ବଡ଼ଘାଗରା ଜଳପ୍ରପାତ ମଧ୍ୟ ରହିଛି । କୁହାଯାଏ, ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ ।

ଏହା ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ (ମାଛକାନ୍ଦଣା) ମଧ୍ୟରେ ଅବସ୍ଥିତ ।

ଏହି ସ୍ଥାନରେ ଜଳସ୍ରୋତଟି ପାଖାପାଖି ଶହେ ଫୁଟ ଉଚ୍ଚତାରୁ ନିମ୍ନକୁ ଗତି କରିଛି । ୪୮୮ ହେକ୍ଟର ଆୟତନ ବିଶିଷ୍ଟ ଏହି ସ୍ଥାନଟି ଏକ ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି ।

ବଡ଼ ବଡ଼ ଶାଳ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନକୁ ବର୍ଷସାରା ବହୁ ପର୍ଯ୍ୟଟକ ଆସି ଜଳପ୍ରପାତର ମଜା ନେବା ସହ ବଣଭୋଜି କରିଥାଆନ୍ତି ।

ତେଣୁ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌବିହାରର ବ୍ୟବସ୍ଥା କରାଯାଇଛି । ସେଠାକୁ ଯିବାକୁ ହେଲେ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରି ଯିବା ସମ୍ଭବ ।

Leave A Reply

Your email address will not be published.