Latest Odisha News

BREAKING NEWS

ଗଳି ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ପଞ୍ଜାବ: ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ । ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ପଞ୍ଜାବର ଡକ୍ଟର ସନ୍ଦୀପ ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ୩୯ ବର୍ଷିୟ ସନ୍ଦୀପ ସିଂ ପଟିଆଲା ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ । ପରିସ୍ଥିତି ଯୋଗୁ ତାଙ୍କୁ ଚାକିରି ଛାଡ଼ି ଟଙ୍କା ରୋଜଗାର କରିବା ପାଇଁ ପନିପରିବା ବିକ୍ରି ଆରମ୍ଭ କରିବାକୁ ପଡ଼ିଲା ।

ସନ୍ଦୀପ ସିଂ ୧୧ ବର୍ଷ ଧରି ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ । ପଞ୍ଜାବୀ, ସାମ୍ବାଦିକତା ଏବଂ ରାଜନୈତିକ ବିଜ୍ଞାନ ସମେତ ଚାରିଟି ମାଷ୍ଟର ଡିଗ୍ରୀ ସହିତ ସେ ଆଇନରେ ପିଏଚଡି କରିଛନ୍ତି । ସେ ବର୍ତ୍ତମାନ ମଧ୍ୟ ଅଧ୍ୟୟନ କରୁଛନ୍ତି । ଦରମା କାଟ ଏବଂ ଅନିୟମିତ ଦରମା ଭଳି ବାଧାବିଘ୍ନର ସମ୍ମୁଖୀନ ହେବା ପରେ ସନ୍ଦୀପ ଚାକିରି ଛାଡ଼ିଥିଲେ । ସେ କହିଛନ୍ତି, ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା କାରଣ ମୁଁ ମୋର ଦରମା ଠିକ ସମୟରେ ପାଇ ନ ଥିଲି । ବାରମ୍ବାର ଦରମା କାଟ ହେଉଥିଲା । ସେହି ଚାକିରିରୁ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇଗଲା, ତେଣୁ ମୁଁ ଏବଂ ମୋ ପରିବାର ପୋଷିବା ପାଇଁ ପନିପରିବା ବିକ୍ରୟ କରିବା ଆରମ୍ଭ କଲୁ ।

ସେ ସାଇକେଲ୍‌ରେ ପ୍ରତିଦିନ ପନିପରିବା ବିକ୍ରି କରନ୍ତି । ଗଳିକୁ ଗଳି ବୁଲି ପନିପରିବା ବିକ୍ରି କରୁଥିବା ସନ୍ଦୀପ କହିଛନ୍ତି, ପନିପରିବା ବିକ୍ରୟ କରି ସେ ଚୁକ୍ତିଭିତ୍ତିକ ପ୍ରଫେସର ଭାବରେ ଯେତିକି ରୋଜଗାର କରୁଥିବେ ତା’ଠାରୁ ଅଧିକ ରୋଜଗାର କରୁଛନ୍ତି । ପନିପରିବା ବିକ୍ରୟ କରିବା ପରେ ସେ ଘରକୁ ଯାଆନ୍ତି ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଅଧ୍ୟୟନ କରନ୍ତି । ସେ ଟଙ୍କା ସଞ୍ଚୟ କରି ନିଜର ଟ୍ୟୁସନ ସେଣ୍ଟର ଖୋଲିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.