ମୂଳ ବଙ୍ଗଳା: ଶ୍ୟାମସୁ୍ର ରାହମାନ
ଆଚ୍ଛା, ଆପଣମାନଙ୍କ ଭିତରୁ
କେହି କହି ପାରିବେ କି
ଏଇ ମୁହୂର୍ତ୍ତରେ କେଉଁଠିକି ଗଲେ
ମୁଁ ଟିକେ ଶାନ୍ତି ପାଇବି?
କିଛି ସମୟ ପରେ ଶୋଇ ପଡିବି?
ନିଦ ହୋଇଗଲେ ଶାନ୍ତିର ସ୍ବପ୍ନରେ
କଟିଯିବ ସାରାରାତି
ଏମିତି କ’ଣ ଆଶା କରିବା ବୃଥା?
କାହିଁକି ମୋତେ ଦେଖିବାକୁ ପଡ଼ିବ
ବିଭୀଷିକାମୟ ଭୌତିକ ମୁହଁର ଭ୍ରୁକୂଟୀ?
ମୋର ପିଠି ଜଳି ପୋଡ଼ି ଯାଉଛି
ଚାବୁକର ମାଡ଼ରେ
ଗଛ ଡ଼ାଳର ପ୍ରହାରରେ
ମୂର୍ଚ୍ଛା ଯିବାକୁ ଅଳ୍ପ ସମୟ ବାକି
ତା ହେଲେ କଣ ଅତ୍ୟାଚାରରେ
ଚୂର୍ଣ୍ଣ ବିଚୂର୍ଣ୍ଣ ହେବା ହିଁ ମୋତେ ଲବ୍ଧ?
କ’ଣ ମୋର ଅପରାଧ?
କବିତା, ଗୀତ, ଚିତ୍ରକଳା ପ୍ରତି
ମୋର ଭଲପାଇବା, ଆଗ୍ରହ,
କ’ଣ ଏତେ ଦୋଷାବହ ?
ଯେତେବେଳେ ମୁଁ ନିଦ୍ରାହୀନ ହୋଇ
ଟେବୁଲ୍ ପାଖ ଚେୟାରରେ ବସିଥାଏ,
ଯେବେ ସନ୍ଧ୍ୟାବେଳେ
ବନ୍ଧୁ ବାନ୍ଧବଙ୍କ ମେଳରେ
କିଛି ସମୟ ପାଇଁ ହେଲେ ବି
ଖୁସି ଓ ଆନନ୍ଦ ଖୋଜିଥାଏ
ହଠାତ୍ ସେତିକି ବେଳେ ହିଁ
ବାରୁଦ ଶବ୍ଦ ଓ ଧୂଆଁରେ
ଚମକି ପଡ଼ି ଦେଖେ
ମୋର ଅନ୍ତରର ସତ୍ତାର ଅନ୍ତିମ ଯାତ୍ରା
ଆରପାରିକୁ।
କାରଣ,ନରମ ହେଲେ ବି, ଗର୍ଜି ଉଠେ
ଇନ୍ନା ର୍ଲିଲ୍ଲାହ ଅନିଲ୍ଲାହେ ରାଜେୱନ!
ମୋତେ କପଡ଼ାରେ ବାନ୍ଧି ସେମାନେ କିଏ
କେଉଁଠିକୁ ନେଇଯାଉଛନ୍ତି?
ମୁଁ ତ କାହାଘରେ ସିନ୍ଧି ଖୋଳିନାହିଁ,
କୌଣସି ଗୃହସ୍ବାମୀଙ୍କୁ ଢେର୍ ଅଳଙ୍କାର
ଓ ପ୍ରଚୁର ଅର୍ଥ ଲୋଭରେ ହତ୍ୟା ବି କରିନି।
ନା,ମୁଁ ନିଜର ଆନନ୍ଦ ପାଇଁ ଲେଖେ
ଯେତେଟା ସମ୍ଭବ ହୁଏ
ତୁମେ ଯେଉଁମାନେ ମୋର
ଲେଖାଗୁଡ଼ିକ ପଢ଼, ସ୍ପର୍ଶ କର
ସେମାନଙ୍କୁ ସମସ୍ତଙ୍କୁ ମୁଁ
ମୋର କୃତଜ୍ଞତା, ପ୍ରଣତି ଜଣାଏ ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.