Latest Odisha News

ଏଣିକି ଖରାରୁ ମିଳିବ ତ୍ରାହି, ଏସି କୁଲିଂ ହେଲମେଟ ପିନ୍ଧିବେ ଟ୍ରାଫିକ୍ କର୍ମଚାରୀ

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆଉ ଏହି ମୁଣ୍ଡ ଫଟା ଖରାରେ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ । ଆଉ ଏହି ମୁଣ୍ଡଫଟା ଖରାରୁ ସାମାନ୍ୟ ଆଶ୍ଵସ୍ତି ପାଇଁ ଏବେ ଏସି କୁଲିଂ ହେଲମେଟ ପିନ୍ଧିବେ ରାଜଧାନୀରେ କାର୍ଯ୍ୟରତ ଟ୍ରାଫିକ୍ କର୍ମଚାରୀ । ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ ।

ସୂଚନା ଅନୁସାରେ, ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲମେଟକୁ ୧୨୦ ବାଟାଲିୟନ ସାମ୍ନାରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି । ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ଏହା ଯଦି ସଠିକ୍ କାର୍ଯ୍ୟ କରେ ତେବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୭୨ଟି ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସ ମାନଙ୍କୁ ଏହି ହେଲମେଟ ଦିଆଯିବ।

ଏହି ହେଲମେଟରେ ରହିଛି ସ୍ଵତନ୍ତ୍ର ବ୍ୟାଟେରୀ। ଯାହାଫଳରେ ହେଲମେଟ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ । ଉତ୍ତରଖଣ୍ଡରେ ଥିବା କରମ ସେଫଟି ପ୍ରାଇଭେଟ ଲିମିଟେଡ ଦ୍ବାରା ଏହି ହେଲମେଟ ତିଆରି କରାଯାଇଛି । ଏହି ହେଲମେଟ ଖରା ଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ । ପୋଲିସ କମିଶନର ଏହି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । କହିରଖୁଛୁ ଯେ, ପୂର୍ବରୁ ଗୁଜରାଟ ପୋଲିସ ଏହି ହେଲମେଟର ବ୍ୟବହାର କରିଛି । ଭଦୋଦରା ଟ୍ରାଫିକ ପୋଲିସ ବିଭାଗ ଏହାର କର୍ମଚାରୀମାନଙ୍କୁ ଏହି ଏସି ହେଲମେଟ ଯୋଗାଇବା ଆରମ୍ଭ କରିସାରିଛି ।

Leave A Reply

Your email address will not be published.