Latest Odisha News

‘ଯେମିତି କଂଗ୍ରେସ ରାଜକୁମାର ଆମେଠୀ ଛାଡିଛନ୍ତି, ସେମିତି ଓ୍ବାୟାନାଡ ଛାଡି ପଳାଇବେ’

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭା ରାଲିକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, କଂଗ୍ରେସର ରାଜକୁମାର ଯେପରି ଆମେଠୀରୁ ପଳାୟନ କରିଛନ୍ତ ସେହିପରି ବର୍ତ୍ତମାନ ସେ ୱାୟାନାଡ ଛାଡି ପଳାୟନ କରିବେ । ତେବେ ରାଜକୁମାର ଏବଂ ତାଙ୍କ ଦଳ ଏପ୍ରିଲ ୨୬ରେ ହେବାକୁ ଥିବା ଭୋଟ୍‌କୁ ଅପେକ୍ଷା କରିଛନ୍ତି । ଯେମିତି ସେଠାରେ ଭୋଟ୍‌ ଶେଷ ହେବ ଏହି ରାଜକୁମାରଙ୍କ ଲାଗି ଆଉ ଏକ ସଂରକ୍ଷିତ ଆସନ ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି ।

ଏହାପୂର୍ବରୁ ରାହୁଲ କଂଗ୍ରେସର ପାରମ୍ପାରିକ ଆସନ ଆମେଠୀରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏବଂ ୨୦୧୯ ରେ ସେ ଏହି ଆସନରୁ ହାରି ଯାଇଥିଲେ । ଏହି ଆସନରୁ ସ୍ମୃତି ଇରାନୀ ଜିତିଥିଲେ ଏବଂ ଏଥର ବିଜେପି ପୁଣି ଥରେ ସ୍ମୃତି ଇରାନୀଙ୍କୁ ଆମେଠୀରୁ ଟିକେଟ୍ ଦେଇଛି । ତେବେ କଂଗ୍ରେସ ଏପର୍ଯ୍ୟନ୍ତ ଆମେଠୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ମହାରାଷ୍ଟ୍ରର ନନ୍ଦେଡରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଗତକାଲି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଯେଉଁମାନେ ଭୋଟ୍ ଦେଇଛନ୍ତି, ବିଶେଷ କରି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଏହାପରେ ରାମମନ୍ଦିର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନିମନ୍ତ୍ରଣ ପ୍ରତ୍ୟାଖାନ କରି ବିରୋଧୀ ରାମବିରୋଧୀ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ।

ଏଥିସହ ୧୦ ବର୍ଷର ମୋଦି ସରକାରଙ୍କ ସଫଳତା ଓ ଉପଲବ୍ଧି ବଖାଣିବା ସହ ମୋଦି କହିଛନ୍ତି ବିଗତ ବର୍ଷର ସଫଳତା କେବଳ ଏକ ଟ୍ରେଲର ଅଟେ ଆଗକୁ ଅନେକ ସଫଳତା ଦେଖିବାକୁ ବାକି ରହିଛି ।

Leave A Reply

Your email address will not be published.