Latest Odisha News

BREAKING NEWS

ସିମେଣ୍ଟ ପ୍ଲାଣ୍ଟରେ ଭୁଶୁଡିଲା କୋଇଲା ହପର୍, ଏକାଧିକ ଶ୍ରମିକ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ ଦୁର୍ଘଟଣା ଘଟିଛି । କୋଇଲା ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଆଜି ସନ୍ଧ୍ୟା ସମୟରେ ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ ୩ ରୁ ୪ ଜଣ କାର୍ଯ୍ୟରତ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବାହାରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କୋଇଲା ହପର୍‌ ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ କ୍ରେନ୍‌କୁ ଲଗାଯାଇଛି। ଏନେଇ ପ୍ଲାଣ୍ଟ ବାହାରେ ଉତ୍ତେଜନା ସୃଷ୍ଟି ହୋଇଛି। ଗୁରୁବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ପ୍ଲାଣ୍ଟରୁ ବିଦ୍ୟୁତ୍ କଟିଯାଇଥିଲା। ଅନ୍ୟ ଶ୍ରମିକମାନେ ଏହାର କାରଣ ଜାଣିବାକୁ ଆରମ୍ଭ କରିଥିଲେ। ହପର୍‌ରେ ଗଚ୍ଛିତ କୋଇଲା ଖସି ପଡିଥିଲା। ବଡ ଧରଣର ଶବ୍ଦ ହେବାରୁ ସେଠାରେ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଥିଲା।  ପାଖାପାଖି ୭୦ ଟନ ବିଶିଷ୍ଟ କୋଲ୍ ହପର୍ ଭୁଶୁଡ଼ି ପଡ଼ିଥିଲା। ହପର୍ ଭିତରେ କୋଇଲା ପାଉଡର ଥିଲା। କ୍ୟାପଟିଭ ପାୱାର ପ୍ଲାଣ୍ଟ -୨(ସିପିପି) ରେ ସନ୍ଧ୍ୟା ୫. ୩୦ରୁ ୫. ୫୦ ଭିତରେ ଅଘଟଣ ଘଟିଥିବା କୁହାଯାଉଛି।

୧୬ ଜଣ ଶ୍ରମିକଙ୍କ ଅପରାହ୍ନ  ସାଢ଼େ ୫ଟାରେ ସେମାନଙ୍କ ସିଫ୍ଟ ସରିଥିଲା। ହେଲେ ୩ ଜଣଙ୍କ ବ୍ୟତୀତ ଅନ୍ୟ ୧୩ ଜଣଙ୍କ ମୋବାଇଲ ରିଙ୍ଗ ହୋଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନମିଳିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ଏହା ପରେ ଏହି  ଅଘଟଣ କଥା ସାମ୍ନାକୁ ଆସିଛି। କାରଖାନା ବାହାରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉ ନଥିବାରୁ ପ୍ରକୃତ ତଥ୍ୟ ମିଳି ପାରିନାହିଁ।

ପ୍ରକାଶ ଥାଉକି, ଏହା ପୂର୍ବରୁ ୨୦୨୪ ନଭେମ୍ବର ୨୬ରେ କୋଇଲା ବୋଝେଇ କନଭେୟର ବେଲ୍ଟ ଭୁଶୁଡ଼ି ପଡ଼ିଥିଲା। ‌ତେବେ ଏହି ଘଟଣାରେ କାହାର କୋଣସି କ୍ଷତି ହୋଇ ନଥିଲା।  ହେଲେ ଆଜି  କୋଇଲା ବୋଝେଇ ହପର୍ ଓଭରଲୋଡ ଥିଲା। ହପର୍ ସେନସର ମାଧ୍ୟମରେ କାମ କରିଥାଏ। ଓଭରଲୋଡିଂ କାରଣରୁ ସେନସର କାମ ନକରିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି କାରଖାନାରେ ବାରମ୍ବାର ଏପରି ଦୁର୍ଘଟଣା ଘଟିବା, କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.