ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି । ଏ ସଂପର୍କରେ କଟକର ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସମେତ ୧୩ ଜଣ ଆଇନଜୀବୀଙ୍କୁ ଏହି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ସହ ‘ବରିଷ୍ଠ ଆଇନଜୀବୀ’ର ସ୍ୱୀକୃତି ମିଳିଥିବା ଅନ୍ୟ ୧୨ ଜଣ ଆଇନଜୀବୀ ହେଉଛନ୍ତି-
ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବାଗ, ବିବେକାନନ୍ଦ ଭୂୟାଁ, ଭବାନୀ ଶଙ୍କର ତ୍ରିପାଠୀ, ସୁଶାନ୍ତ କୁମାର ଦାଶ, କମଲ ବିହାରୀ ପଣ୍ଡା, ଅମିତ ଦାସ, ଦୟାନନ୍ଦ ମହାପାତ୍ର, ଗୋପାଳ କୁମାର ଅଗ୍ରଓ୍ବାଲ, ବିଜ୍ଞାନ କୁମାର ଶର୍ମା ଏବଂ ଆଦିତ୍ୟ ନାରାୟଣ ଦାଶ ।
ବିଭୁ ପ୍ରସାଦ ତ୍ରିପାଠୀ, ବେଙ୍ଗାଲୁର ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସାରିବା ପରେ କଟକ ଓ ଭୁବନେଶ୍ୱରର ଆଇନ ପେଷା ଆରମ୍ଭ କରିଥିଲେ । ପରିବାରର ପ୍ରଥମ ପିଢିର ଆଇନଜୀବୀ ଭାବେ ପରିବେଶ ସଂପର୍କିତ ଜନସ୍ୱାର୍ଥ ମାମଲା ଓ ଦଳିତ ଆଦିବାସୀ ବର୍ଗଙ୍କୁ ନ୍ୟାୟ ଯୋଗାଇବା ଲାଗି ସେ ଖ୍ୟାତି ଅର୍ଜନ କରିଛନ୍ତି ।
ପରବର୍ତ୍ତି ସମୟରେ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି । ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ହାଇକୋର୍ଟ ଏହି ମାନ୍ୟତା ପ୍ରଦାନ କରିଥିବାରୁ ନୂଆପିଢୀର ଯୁବ ଆଇନଜୀବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ଶ୍ରୀଯୁକ୍ତ ତ୍ରିପାଠୀ, ବର୍ତ୍ତମାନ ରାଜ୍ୟ ଆଇନଜୀବୀ ପରଷିଦର ନବନିର୍ବାଚିତ ସଦସ୍ୟ ଅଛନ୍ତି । ଅନେକ ଆଇନଜୀବୀ ଓ ବହୁ ଜନ-ଆନ୍ଦୋଳନର ନେତୃ ବର୍ଗ, ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଇଁ ଓକିଲାତି ପେଷାକୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।
Comments are closed.