Latest Odisha News

BREAKING NEWS

ପୁଅର ମୃତ୍ୟୁ ଦୁର୍ଘଟଣା ଜନିତ, ଆତ୍ମହତ୍ୟା ନୁହେଁ ବୋଲି କହିଲେ ଏସିପି ସଞ୍ଜିବ ଶତପଥୀ

ଭୁବନେଶ୍ୱର: ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନଙ୍କର ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଗଣମାଧ୍ୟରେ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରି ସେ କହିଛନ୍ତି ଏହା ଏକ ଦୁର୍ଘଟଣା ମାତ୍ର ।

“ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କୁ ମୁଁ ବିନମ୍ରତାର ସହିତ ନିବେଦନ କରୁଛି ଯେ, ଦୟାକରି ମୋ ପୁଅ ଆୟୁଷ୍ମାନ ସମ୍ପର୍କରେ ଭୂଲ୍ ଖବର ପ୍ରସାରିତ କରୁନ୍ତୁ ନାହିଁ । ମୋ ପୁଅ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ସହିତ ଖୁବ୍ ସ୍ନେହୀ ଏବଂ ସେ ତାର ପିତାମାତା ତଥା ଭଉଣୀକୁ ଖୁବ୍ ଭଲ ପାଉଥିଲା ।” ଏହିକଥା ଗଣମାଧ୍ୟମକୁ ଜଣାଇଛନ୍ତି ଏସିପି ଶ୍ରୀଯୁକ୍ତ ଶତପଥୀ ।

ଏନେଇ ଏସିପି କହିଛନ୍ତି, ଆୟୁଷ୍ମାନ ଟେନିସ୍ ପ୍ରାକ୍ଟିସ କରି (୩ଟାରୁ ୬ଟା ) ଘରକୁ ଫେରିଲା । ଘରେ ଜଳଖିଆ ଖାଇ ସେ ଟିୟୁସନକୁ ଚାଲିଗଲା ( ରାତି ୭ଟା ରୁ ୯ଟା ) । ତାପରେ ଫୁଟବଲ୍ ଖେଳି ଘରକୁ ପ୍ରାୟ ରାତି ୧୦ଟା ସମୟରେ ଫେରିଲା । “ ସେ ଅଧିକାଂଶ ସମୟରେ ପରିବାର ଲୋକଙ୍କ ସହିତ ଥଟ୍ଟା ମଜା ମଧ୍ୟ କରିଥାଏ । ପତ୍ନୀ ଆମ ପୋଷା କୁକୁର ହନି ସହିତ ନଖେଳିବାକୁ ବାରଣ କରିଥିଲେ, ଅବଶ୍ୟ ସେତେବେଳକୁ ପ୍ରାୟ ୧୨ ଟା ୩୦ ହୋଇଥିଲା । ସେ ରାଗିଯାଇ ତାର ଜିନ୍ସ ପ୍ୟାଣ୍ଟକୁ ନିଜ ବେକରେ ଗୁଡ଼ାଇ ଦେଇଥିଲା ।” ବୋଲି କହିଛନ୍ତି ଏସିପି ଶ୍ରୀଯୁକ୍ତ ଶତପଥୀ ।

ତେବେ ଦୁର୍ଘଟଣା ବଶତଃ ବେକରେ ଗଣ୍ଠି ମଧ୍ୟ ପଡ଼ିଯାଇଥିଲା, ମାତ୍ର ତାଙ୍କର ପତ୍ନୀ ଏହା ତୁରନ୍ତ ମଧ୍ୟ ଜାଣି ପାରିନଥିଲେ ଯେହେତୁ ତାର ମୃତ୍ୟୁ ଘଟିଥିଲା ବୋଲି କହିଛନ୍ତି ଏସିପି ସଞ୍ଜୀବ ଶତପଥୀ ।

“ମୁଁ ଆପଣ ସମସ୍ତଙ୍କୁ ଦୟାପୂର୍ବକ ଅନୁରୋଧ କରୁଛି, ମୋ ପୁଅର ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦିଅନ୍ତୁ ନାହିଁ । ଏପରିକି ତାର ମୃତ୍ୟୁ କେତେକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ଭିଡ଼ିଓ ଗେମ୍ ଖେଳିକି କିମ୍ବା ଅନ୍ୟ କୌଣସି କାରଣରୁ ଘଟିନାହିଁ, ” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.