Latest Odisha News

BREAKING NEWS

ଭାରତ ବନ୍ଦ: ଆସନ୍ତାକାଲି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର: ଟ୍ରେଡ଼ ୟୁନିୟନ ପକ୍ଷରୁ ଆସନ୍ତାକାଲିଠୁଁ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବା ଯୋଗୁଁ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

ଏସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

“ଭାରତ ବନ୍ଦ ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ତେବେ ବୁୁଧବାର ଦିନ ଶିକ୍ଷାନୁଷ୍ଠାବନ୍ଦ ହେବା ନେଇ ମଙ୍ଗଳବାର ଦିନ ନିଷ୍ପତ୍ତି ନିଆଯାଇ ଘୋଷଣା କରାଯିବ,” ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବୁଧବାର ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବାନେଇ ମଙ୍ଗଳବାର ଦିନ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିଜେଡ଼ି ସରକାର ଏବଂ ଏହାର ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଏସଏସ) ମଧ୍ୟ ଦେଶବ୍ୟାପୀ ୨ ଦିନିଆ ବନ୍ଦ ପାଳନ କରୁଥିବା ଟ୍ରେଡ଼ ୟୁନିୟନକୁ ସମର୍ଥନ କରିଛି ।

ଏହି ଟ୍ରେଡ଼ ୟୁନିୟନଗୁଡ଼ିକ ୧୨ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ମୁଦ୍ରାସ୍ଫିତି ନିୟନ୍ତ୍ରଣ, ସର୍ବନିମ୍ନ ଦରମାହାର ୧୮,୦୦୦ ଟଙ୍କା, ସବୁ କାମ ଲାଗି ସମାନ ପାରିଶ୍ରମିକ, ରେଳବାଇରେ ବୈଦେଶିକ ପୁଞ୍ଜି ବିନିଯୋଗ ନକରିବା ଏବଂ ଯୁବବର୍ଗଙ୍କ ନିଯୁକ୍ତି ପ୍ରଭୃତି ଦାବି ଗୁଡ଼ିକ ରହିଛି ।

ଶ୍ରମିକ ସଂଗଠନ ‘ସିଆଇଟିୟୁ’ର ରାଜ୍ୟ ସମ୍ପାଦକ ସୌରୀବନ୍ଧୁ କର କହିଛନ୍ତି, ଦକ୍ଷ ଶ୍ରମିକମାନଙ୍କୁ ସଠିକ ସମ୍ମାନ ଦେବା ଜରୁରୀ ବୋଲି ସମସ୍ତ ଶ୍ରମିକ ସଂଗଠନ ଦାବି କରିଛନ୍ତି ।

Leave A Reply

Your email address will not be published.