ଭୁବନେଶ୍ୱର: ନବଙ୍କ ହତ୍ୟା ଘଟଣାକୁ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ସରକାରୀ ଦଳକୁ ଟାର୍ଗେଟ କରିଚାଲିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରି ଆସୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କଡା ମନ୍ତବ୍ୟ ଦେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ଆଉ ଜଣେ ପ୍ରଭାବୀ ନେତା ବିଜୟ ମହାପାତ୍ର ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ ଦୁଇ ଜଣ ଅଣଓଡ଼ିଆ ଅଫିସର ବୋଲି ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର। ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ ଓ ଜଣେ ଆଇପିଏସ ଅଫିସର ବୋଲି ସେ କହିଛନ୍ତି। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ବିଜୟ ବଡ଼ ଅଭିଯୋଗ ଆଣିଛନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡର ୪୦ ଦିନ ପରେ ବି ଏହି ଘଟଣାର ତଦନ୍ତରେ ସ୍ପଷ୍ଟତା ଆସୁ ନ ଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ମହାପାତ୍ର।
ଘଟଣାର ତଦନ୍ତରେ ଏଫବିଆଇ ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ମଧ୍ୟ ଏ ସମ୍ପର୍କରେ ଅଗ୍ରଗତି କେତେ ବାଟ ହେଲା ସେ ସମ୍ପର୍କରେ କାହିଁକି କିଛି ଜଣାପଡୁନି ସେ ନେଇ ବିଜୟ ପ୍ରଶ୍ନ ଉଠାଇଛନ୍ତି। ଏପରିକି ପୂର୍ବରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଦଳର କିଛି ମଙ୍ଗୁଆଳ ଓ ଅଫିସରଙ୍କୁ ନବ ଦାସ ହତ୍ୟାକାଣ୍ଡରେ ସଂପୃକ୍ତିର ସିଧା ଅଭିଯୋଗ ଆଣିଥିଲେ। ଯେଉଁଥିପାଇଁ ତୁମ୍ବି ତୋଫାନ ହୋଇଥିଲା।
ବିଜେଡି ଜୟ ନାରାୟଣଙ୍କୁ ଘେରିଥିଲା। କିନ୍ତୁ ତା ପରେ ବି ଜୟ ନାରାୟଣ ସରକାରୀ ଦଳକୁ ଲଗାତାର ଏ ପ୍ରସଙ୍ଗରେ ଟାର୍ଗେଟ କରି ଚାଲିଛନ୍ତି। ଏହା ଷଡଯନ୍ତ୍ର ଭଳି ଲାଗୁଛି ବୋଲି କହିଛନ୍ତି ଜୟ ନାରାୟଣ । ଏହି ଷଡଯନ୍ତ୍ରକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା କଥା ବୋଲି ଜୟ ନାରାୟଣ କହିଛନ୍ତି। ଘଟଣାକୁ ଏକ ମୋଡ଼ ଦେବା ପାଇଁ ଚେଷ୍ଟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଏ ପ୍ରସଙ୍ଗରେ ବିଜେଡିର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରୁଛନ୍ତି। ତେଣୁ ଜଣଙ୍କ ପରେ ଜଣେ ପ୍ରଭାବୀ ଓ ରାଜ୍ୟର ଆଗ ଧାଡ଼ିର ନେତା ବିଜେଡିକୁ ଟାର୍ଗେଟ କରିବା ଦଳକୁ ଅଡୁଆରେ ପକାଇଛି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲା ବେଳେ ବିଜେଡି ଯେଉଁ ପ୍ରକାର କାଉଣ୍ଟର ଆଟାକ କରୁଥିଲା ଏବେ ନରସିଂହ ଓ ବିଜୟଙ୍କ ମନ୍ତବ୍ୟ ପରେ ଶାସକ ଦଳର ଆଭିମୁଖ୍ୟ ଆଗକୁ କଣ ହେବ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି।
Comments are closed.