Latest Odisha News

BREAKING NEWS

ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ବିଜେପି ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ଏହା ଚାଲିଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାର ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଓ ଛାତ୍ର ବିଜେଡିର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଲୁଟ୍ ଚାଲିଥିବା ଅଭିଯୋଗ କରିଥିଲେ ।

ରୁଦ୍ର ପ୍ରସାଦ ମହାରଥୀ କହିଥିଲେ, ରାଜ୍ୟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଖବର ପ୍ରତିଦିନ ଖବର କାଗଜରେ ଶିରୋନାମା ପାଲଟୁଛି । ବିଜେପି ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ଏହି କାର୍ଯ୍ୟ ଚାଲୁଥିବା ବେଳେ ସରକାରୀ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ସାମ୍ୱାଦିକ ମାନଙ୍କୁ ବାଲି ଉଠୁଥିବା ସ୍ଥାନକୁ ଆସିଲେ ତାଙ୍କ କ୍ୟାମେରା ଭାଙ୍ଗିଦେବା ସହିତ ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି । ଭିଡିଓ ଭାଇରାଲ ବ୍ୟକ୍ତି ଜଣଙ୍କ ଫଟୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସହିତ ରହିଛି । ତେଣୁ ବାଲି ଚୋରି କାରବାରରେ ବିଜେପି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହେଉଛି ।

ଅପରପକ୍ଷରେ ଏହିପରି ଏକ ବାଲି ଚୋରି ଚାଲିଥିବା ଖବର ପାଇ ପୁରୀ ଜିଲ୍ଲା ଖଣି ଅଧିକାରୀ ସମୀର କୁମାର ମିଶ୍ର ଓ ପୋଲିସ ଅଧିକାରୀଙ୍କ ସହିତ ମାର୍ଚ୍ଚ ୧୦ ତାରିଖର ବିଳମ୍ୱିତ ରାତିରେ ଘଟଣାସ୍ଥଳକୁ ଯାଉଥିବା ସମୟରେ ତାଙ୍କ ଗାଡିକୁ ଅଟକାଯାଇ ଗାଡି ଓ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସମୀର ମିଶ୍ର ପିପିଲି ଥାନାରେ ଏଫଆଇଆର ଦାଖଲ କରିଥିଲେ । ଏଫଆଇଆର ଦାଖଲ ହେବାର ୪୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ, ଯେଉଁଠି ସରକାରୀ ଅଧିକାରୀ ସୁରକ୍ଷିତ ନାହାନ୍ତି, ସେଠି ସାଧାରଣ ଲୋକଙ୍କୁ ସରକାର କି ସୁରକ୍ଷା ଦେବେ ବୋଲି ମହାରଥୀ ପ୍ରଶ୍ନ କରିଥିଲେ ।

ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ କହିଥିଲେ, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ସମଗ୍ର ପୁରୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବାଲି, ମୋରମ ଇତ୍ୟାଦି ଲଘୁ ଖଣିଜ ସମ୍ପଦର ଲୁଟ୍ ଚାଲିଛି । ବିଜେପି ନେତାଙ୍କ ସହଭାଗିତାରେ ଏହି ଲୁଟ୍ ଚାଲିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିଲେ ମଧ୍ୟ ତାଙ୍କ କଥା କେବଳ କଥାରେ ରହୁଛି ।

ଛାତ୍ର ବିଜେଡିର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ବାଲି ଚୋରି ହେଉଛି, ନଦୀ ଗୁଡିକର ଦିଗ ପରିବର୍ତ୍ତନ ହେଉଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘୋଡା ବେପାରରେ ଲାଗିଛନ୍ତି ସରକାର । ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବାଲି ଚୋରି କାରଣରୁ ନିରୀହ ସାମ୍ୱାଦିକାଙ୍କ ମୃତ୍ୟୁ ହେଲା । ଏହାପରେ ବାଲି ନେଇ ଯାଉଥିବା ଏକ ହାଇୱା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହେଲା । ସ୍ଥାନୀୟ ବିଜେପି ନେତାଙ୍କ ଭାଗିଦାରୀରେ ଏହି ଲୁଟ୍ ଚାଲିଛି ବୋଲି ଇପ୍ସିତା ସାହୁ କହିଥିଲେ ।

 

Leave A Reply

Your email address will not be published.