ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଆଜି ଆତ୍ମସମର୍ପଣ କରିବା ପରେ ପ୍ରଥମେ ଏସଡିଜେଏମ୍ କୋର୍ଟେରେ ଜାମିନ ନିମନ୍ତେ ଆବେଦନ କରିଥିଲେ। ତେବେ ମାଜିଷ୍ଟ୍ରେଟ୍ ଗାୟତ୍ରୀ ମିଶ୍ର ଆବେଦନକୁ ଖାରଜ କରିଥିଲେ। ପରେ ସେ ଜିଲ୍ଲା ଓ ଦୌରାଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେଠାରେ ମଧ୍ୟ ଜାମିନ ମିଳିନଥିଲା। ଫଳରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପରଦିନ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ରଙ୍କ ଅଭିଯୋଗକୁ ଆଧାର କରି ପ୍ରଥମେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲା। ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
କ୍ରାଇମବ୍ରାଞ୍ଚ ଦୀର୍ଘ ତଦନ୍ତ ପରେ ୮୦ ଜଣଙ୍କ ବୟାନ, କଲ୍ ଡିଟେଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ଆଦିକୁ ଆଧାର କରି ଚାର୍ଜସିଟ୍ ଦାଖଲ କରିଥିଲା। ସେତେବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ଯେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ସୋମ୍ୟରଞ୍ଜନଙ୍କ ମୃତ୍ୟୁରେ ସମ୍ପୃକ୍ତିର ପ୍ରମାଣ ମିଳିନଥିଲା ଏବଂ ଘଟଣାଟି ଏକ ଦୁର୍ଘଟଣା ବୋଲି ତଦନ୍ତରେ ସାମ୍ନାକୁ ଆସିଥିଲା। ସେହି ସମୟରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ସୋମ୍ୟରଞ୍ଜନଙ୍କ ପିତାଙ୍କ ପକ୍ଷରୁ ଦାଖଲ ପ୍ରତିବାଦ ଆବେଦନ (ପ୍ରୋଟେଷ୍ଟ ପିଟିସନ୍) ଉପରେ ବିଚାର କରି ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ପୂର୍ବତନ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ବିଚାର ଚାଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଅଭିଯୁକ୍ତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତଳ ଅଦାଲତରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣିରେ ବାରମ୍ବାର ଅନୁପସ୍ଥିତ ରହିବାରୁ ୨୦୨୫ ଅଗଷ୍ଟ ୧୪ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।
ଏହି ଅବସରରେ ସଂଗ୍ରାମ କେଶରୀ ବେହେରା ପ୍ରଥମେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ସେଠାରୁ ଆଶ୍ୱସ୍ତି ନମିଳିବା ପରେ ୨୦୨୬ ଫେବୃଆରି ୨ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଅନୁମତି ଆବେଦନ ଦାଖଲ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ କୌଣସି ଆଶ୍ୱସ୍ତି ନମିଳିବା ପରେ ସେ ପୁଣି ହାଇକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ପ୍ରାର୍ଥନା କରିଥିଲେ। ଗତ ୧୪ ଜୁଲାଇ ୨୦୨୬ରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ତଳ ଅଦାଲତରେ ଆତ୍ମସମର୍ପଣ କରିବାକୁ ସୁଯୋଗ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ସୋମବାର ସେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO।