Latest Odisha News

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ତନାଘନା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ଆରମ୍ଭ ହେଲା ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସେମାନଙ୍କୁ ସହଯୋଗ କରୁଛନ୍ତି ୫ ଜଣ ସାଇଣ୍ଟିଫିକ ଟିମ । ଏହି ଟିମ୍ ପ୍ରଥମେ ପାରଳାଖେମୁଣ୍ଡି ଥାନାରେ ଆଲୋଚନା କରିଛନ୍ତି । ପରେ ସୌମ୍ୟଙ୍କ ସରକାରୀ ବାସଭବନରେ ଦୁଇ ଘଣ୍ଟା ଧରି ତନତନ କରି ଯାଞ୍ଚ କରିଛନ୍ତି । ଘରର ସମସ୍ତ ଆସବାବପତ୍ର, ଫିଙ୍ଗର ପ୍ରିଣ୍ଟ, କେମିକାଲ ବ୍ୟବହାର ଆଦି ପରୀକ୍ଷା ଜାରି ରଖିଛନ୍ତି । କ୍ରାଇମବ୍ରାଞ୍ଚ ମୂଳରୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ । ଏହାସହ ସୌମ୍ୟଙ୍କ ବାପା ମା’ଙ୍କ ବୟାନ ନିଆଯିବ । ସେହିପରି ବ୍ୟାଚଲର ପାର୍ଟି, ମ୍ୟାରେଜ ଏଗ୍ରିମେଣ୍ଟ ବାବଦରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟରଞ୍ଜନ ମୃତ୍ୟୁର ଖୋଳତାଡ ପାଇଁ ଆଜି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି ତଦନ୍ତ ଭାର । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ମାମଲାକୁ ମାସେ ବିତିଥିଲେ ବି ଏଯାଏଁ ରହସ୍ୟ ଉପରୁ ହଟିପାରିନି ପରଦା । ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ । ପୋଡ଼ି ହୋଇ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ନା ତାଙ୍କୁ ପୋଡି ଦିଆଯାଇଥିଲା, ସେନେଇ କିଛଇ ଟେର ପାଉନି ପୋଲିସ । ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେବା ପରେ ମଧ୍ୟ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ତଦନ୍ତ ପରିସରଭୁକ୍ତ ଅନେକଙ୍କୁ ପଚରାଉଚରା କରାଯାଇଛି । ହେଲେ କୌଣସି ନିଷ୍କର୍ଷ ବାହାରିନି ।

Comments are closed.