Latest Odisha News

BREAKING NEWS

ଶିକ୍ଷା ଓ ବିଶ୍ୱ ମାନବିକ ନେତୃତ୍ୱ ବିକାଶ କ୍ଷେତ୍ରରେ କିସ୍‍ କାର୍ଯ୍ୟକୁ ପ୍ରଶଂସା, ଅଚ୍ୟୁତ ସାମନ୍ତ ଆମେରିକାରେ ସମ୍ମାନୀତ

ଭୁବନେଶ୍ୱର: କିସ୍‍ ଜରିଆରେ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ୍ ଆମେରିକାନ ଷ୍ଟଡିଜ୍‍ ବିଭାଗ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଶେଷ ସ୍ୱୀକୃତି ସହ ସମ୍ମାନୀତ କରାଯାଇଛି। ମାନବିକତା ଏବଂ ଶିକ୍ଷା ବିକାଶ କ୍ଷେତ୍ରରେ ମୋଣ୍ଟାନାରେ ଏପରି ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ ଓ ଅଣ-ଆମେରିକୀୟ।

ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟି ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଏ ଲିଗାସି ଅଫ୍‍ କମ୍ପାସନ୍‍: ହନରିଂ ଅଚ୍ୟୁତ ସାମନ୍ତ ଆଣ୍ଡ ଦି ଆର୍ଟ ଅଫ୍‍ ଗିଭିଂ’ରେ ଶ୍ରୀ ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ମୋଣ୍ଟାନା ଗଭର୍ଣ୍ଣର ଗ୍ରେଗ୍ ଜିଆନଫର୍ଟ, ଭାରତର କନସଲ ଜେନେରାଲ ପ୍ରକାଶ ଗୁପ୍ତା, ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିକି ଗାଇସଲର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ସଭାପତି ଡ ବ୍ରକ୍ ଟେସମ୍ୟାନ୍ ତାଙ୍କୁ ସମ୍ମାନୀତ କରିଥିଲେ। ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ ଆମେରିକାନ୍‍ ଷ୍ଟଡିଜ୍‍ ବିଭାଗକୁ ଯୁକ୍ତରାଷ୍ଟ୍ରର ମୂଳ ଆମେରିକୀୟଙ୍କ ବିଷୟରେ ଅଧ୍ୟୟନ ପାଇଁ ଉତ୍ସର୍ଗୀକୃତ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ ।

ସେହିପରି ମୋଣ୍ଟାନା ଆମେରିକାର ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ସେଠାକାର ପାରମ୍ପରିକ ଜନଜାତି ଢ଼ଙ୍ଗରେ ଶ୍ରୀ ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ମୂଳ ଆମେରିକୀୟ ଜନଜାତି ସଂପ୍ରଦାୟ ଦ୍ୱାରା ଶ୍ରୀ ସାମନ୍ତଙ୍କୁ ସେମାନଙ୍କର ପବିତ୍ର ଜନଜାତି କମ୍ବଳ ସହିତ ଆଧ୍ୟାତ୍ମିକ ଢ଼ଙ୍ଗରେ ସମ୍ମାନିତ କରାଯାଇଥିଲା। ଏହା ସେମାନଙ୍କ ପରମ୍ପରାରେ ଏକ ବିଶେଷ ସମ୍ମାନର ଚିହ୍ନ। ସୂଚନାଯୋଗ୍ୟ ମୋଣ୍ଟାନରୁ ବହୁ ଶିକ୍ଷାବିତ୍‍ ଓ ବୁଦ୍ଧିଜୀବୀ କିଟ୍‍ କିସ୍‍ ପରିଦର୍ଶନରେ ଆସି ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। ସେମାନେ ଫେରିବା ପରେ ଶ୍ରୀ ସାମନ୍ତଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ।

ସେହିପରି ଶିକ୍ଷା ଓ ସଶକ୍ତିକରଣ ମାଧ୍ୟମରେ ଜନଜାତି ଯୁବପିଢ଼ିଙ୍କ ବିକାଶ, ‘ବସୁଧୈବ କୁଟୁମ୍ବକମ୍‌’- ଅର୍ଥାତ୍”ସମଗ୍ର ବିଶ୍ୱ ଗୋଟିଏ ପରିବାର ଏହି ଭାରତୀୟ ଦର୍ଶନର ପ୍ରଚାର, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା (ମୋଣ୍ଟାନା) ମଧ୍ୟରେ ସାଂସ୍କୃତିକ ଓ ଶିକ୍ଷାଗତ ସଂପକର୍କୁ ସୁଦୃଢ଼ କରିବା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ସ୍ୱୀକୃତି ସ୍ୱରୂପ ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଗ୍ଲୋବାଲ୍ ଭିଜନାରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଏବଂ ସଶକ୍ତିକରଣ ଜରିଆରେ ହଜାର ହଜାର ଜନଜାତି ଯୁବପିଢ଼ିଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରାଯାଇଥିଲା । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟି ଓ ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି ସମ୍ମାନ ଭାରତର ଜନଜାତିଙ୍କ ବିକାଶ ଦିଗରେ ଅଧିକ କାମ କରିବା ପାଇଁ ପ୍ରେରଣା ଦେବ ବୋଲି କହିଛନ୍ତି ।

Leave A Reply

Your email address will not be published.