ପୁରୀ: ଖଜା ମହାପ୍ରସାଦ ନୁହେଁ । ବଡଦାଣ୍ଡରେ ଖଜାକୁ ମହାପ୍ରସାଦ କହି ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ । ଏଭଳି କାର୍ଯ୍ୟରୁ ଖଜା ବ୍ୟବସାୟୀ ନିବୃତ୍ତ ରୁହନ୍ତୁ । ଶ୍ରୀମନ୍ଦିର ବାହାରେ ଏହାକୁ ମହାପ୍ରସାଦ କହି ବିକ୍ରି ହେବା ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଏନେଇ ନିଜ ଏକ୍ସରେ କଜା ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଇ ଅରବିନ୍ଦ ଲେଖିଛନ୍ତି, ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାମରେ ଖଜା ବିକ୍ରି ହେଉଥିବା ନେଇ ପ୍ରମାଣ ମିଳିଛି। ଶ୍ରୀମନ୍ଦିର ଭିତରେ ସୂପକାରଙ୍କ ଦ୍ବାରା ଖଜା ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରିବା ପରେ ଆନନ୍ଦ ବଜାରରେ ବିକ୍ରି କରାଯାଇଥାଏ। ଏହାକୁ ଖଜା ଭୋଗ କୁହାଯାଏ । ଏହା ମହାପ୍ରସାଦ ନୁହେଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।
ତେବେ କହିରଖୁଛୁ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସମେତ ବସ୍ଷ୍ଟାଣ୍ଡ ଏବଂ ସମୁଦ୍ରକୂଳ ପର୍ଯ୍ୟନ୍ତ ଅନେକ ଖଜା ଦେକାନ ରହିଛି । ଉକ୍ତ ଖଜା ଦୋକାନୀମାନେ ପୁରୀ ଆସୁଥିବା ଯାତ୍ରୀଙ୍କୁ ମହାପ୍ରସାଦ ଭୋଗ କହି ଖଜା ବିକ୍ରି କରିଥାନ୍ତି । ଶ୍ରଦ୍ଧାଳୁ ଏହାର ମାନ ନ ଜାଣି ଏହାକୁ ମହାପ୍ରସାଦ ମଣିଥାନ୍ତି । ଶ୍ରୀମନ୍ଦିର ଭୋଗ କହି ଶ୍ରଦ୍ଧାଳୁଙ୍କୁ ଏଭଳି ଠକେଇ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଗତ ମାସରେ ଅଭିଯୋଗ ଆସିଥିଲା । କିଛି ସ୍ଥାନରେ ଏହି ଖଜାର ପ୍ରସ୍ତୁତି ସମୟରେ ଆଣ୍ଠୁ ଏବଂ ଖାଲି ପାଦରେ ମଇଦାକୁ ଚକଟି କରାଯାଉଥିବା ବେଳେ ଅପମିଶ୍ରିତ ତେଲ ବ୍ୟବହାର ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ଖଜା ଦୋକାନୀ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗ କରି ଶ୍ରଦ୍ଧାଳୁଙ୍କୁ ଠକୁଥିବା ଭଳି ସ୍ପର୍ଶକାତର ବିଷୟ ସାମ୍ନାକୁ ଆସିଥିବା ବେଳେ ଏନେଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅନ୍ୟପକ୍ଷରେ ଏନେଇ ବିଭିନ୍ନ ଖଜା ଦୋକାନରେ ମଧ୍ୟ ଚଢାଉ କରି ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ବିଭାଗ ।