Latest Odisha News

BREAKING NEWS

ଲକ୍ ଡାଉନ ଡାଏରୀ: ପୁଅ ସହ ଖେଳକୁଦ ସାଙ୍ଗକୁ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କରୁଛନ୍ତି ଅଭିନେତା ଲିକୁନ୍ ଚୌଧୁରୀ

ଓଡିଆ ଧାରାବାହିକ ଜଗତରେ ସେ ଜଣେ ନାଁ କରା କଳାକାର । ସବୁବେଳେ ସେ ସୁଟିଂରେ ବ୍ୟସ୍ତ । କେତେବେଳେ ସେ ସିନ୍ଦୁରବିନ୍ଦୁ ସିରିଏଲ ହେଉ କି ତାରାତାରିଣୀ କିମ୍ବା ଆଉ କିଛି ମେଗା ଧାରାବାହିକ । ଓଡିଆ ଦର୍ଶକଙ୍କ ବେଶ୍ ଭଲପାଇବା ମିଳିଛି ତାଙ୍କୁ ।

ତେବେ ଲକ୍ ଡାଉନ ଯୋଗୁଁ ସିରିଏଲର ସୁଟିଂ ବନ୍ଦ ରହିଥିବାରୁ ଅଭିନେତା ଲିକୁନ ଚୌଧୁରୀ ଏବେ ଘରେ ।

ଲକ୍‌ଡାଉନ୍‌ର ଫାଙ୍କା ସମୟରେ ନିଜ କୁନି ପୁଅ ସାଙ୍ଗେ ସମୟ କାଟୁଛନ୍ତି ଲିକୁନ । ତାକୁ ପାଠ ପଢାଇବା ସହ ତା ସାଙ୍ଗେ ଖେଳୁଛନ୍ତି ମଧ୍ୟ ।
କେବଳ ସେତିକି ନୁହେଁ ଘରକାମରେ ପତ୍ନୀଙ୍କୁ ମଧ୍ୟ ସାହାଯ୍ୟ କରୁଥିବା କୁହନ୍ତି ଲିକୁନ୍ । ବାହାରୁ ପରିବା ଆସିଲେ ତାକୁ ସେ ଧୋଇ ରଖି ଦେଉଛନ୍ତି । ଘର ସଫା ରଖିବାରେ ସାହାଯ୍ୟ କରୁଛନ୍ତି ।

ସମସ୍ତଙ୍କୁ ଲିକୁନଙ୍କ ବାର୍ତ୍ତା ହେଉଛି, ‘ଲକ୍ ଡାଉନ’ ଚାଲିଥିବାରୁ ଘରେ ରୁହନ୍ତୁ । କିନ୍ତୁ ଘରେ ରହି ଜମା ବୋର୍ ହୁଅନ୍ତୁନି । ନିଜ ପରିବାର ଓ ପିଲାମାନଙ୍କ ସହ ସମୟ କାଟନ୍ତୁ, ନିଜ ବାପା ମାଆଙ୍କ ସହ ସମୟ କାଟନ୍ତୁ ।

ପାରୁଛନ୍ତି ଯଦି ଯଥାସମ୍ଭବ ଘର କାମ କରନ୍ତୁ । ଯେମିତିକି ପରିବା ଧୋଇବା, ରୋଷେଇ କରିବା, ଘର ସଫା କରିବା ଇତ୍ୟାଦିରେ ସମୟ କାଟନ୍ତୁ । ଯାହା ବି କରନ୍ତୁ ଘରେ ହିଁ ରୁହନ୍ତୁ ଏବଂ କରୋନାଠୁ ଦୂରେଇ ରହନ୍ତୁ ।

ଲିକୁନ୍ ସକାଳୁ ଉଠିବା ପରେ ପ୍ରଥମେ ବେଶ୍ କିଛି ସମୟ ବ୍ୟାୟାମ କରନ୍ତି । ଜିମ୍ ବନ୍ଦ ଥିବାରୁ ବଡିକୁ ଫିଟ୍ ରଖିବା ପାଇଁ ସେ ଆଜିକାଲି ଟିକେ ବେଶୀ ସଚେତନ ।

ଏହା ପରେ ସକାଳ ଜଳଖିଆ ଖାଇବା ପରେ ବାଲକୋନିରେ ଲଗାଇଥିବା ଗଛଗୁଡିକର ଯତ୍ନ ନିଅନ୍ତି । ଘରର ବିଭିନ୍ନ କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତି ।

ପୁଅର ପାଠପଢା ସହ ସେ ବି ବୋର୍ ନହେବା ପାଇଁ ତା ସାଙ୍ଗ ଲୁଡୋ, କ୍ୟାରମ ଓ ଅନ୍ୟାନ୍ୟ ଖେଳ ଖେଳନ୍ତି ।

ଅଲଗା ସମୟରେ ସବୁବେଳେ ସୁଟିଂ ଏବଂ କାମରେ ବ୍ୟସ୍ତ ରହୁଥିବାରୁ ଫିଲ୍ମ ଦେଖିବାକୁ ସମୟ ମିଳୁ ନଥିବା ବେଳେ ଏହି ଲକ୍ ଡାଉନ ସମୟରେ ନିଜ ମନ ପସନ୍ଦର ଫିଲ୍ମ ସବୁ ଦେଖୁଛନ୍ତି ସେ ।

ଏଥିସହିତ ସମୟ ମିଳିଲେ ଓଡିଆ ସିନେମା ଓ ସାହିତ୍ୟ ସମ୍ପର୍କିତ ବହି ପଢୁଥିବା ସେ କହିଛନ୍ତି ।

Leave A Reply

Your email address will not be published.