ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ରଜନୀକାନ୍ତଙ୍କ ବୟସ ୭୩ ବର୍ଷ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଖବର ପାଇବା ପରେ ମର୍ମାହତ ହୋଇଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।
ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭଗବାନ ଭାବନ୍ତି ତାଙ୍କ ଫ୍ୟାନ୍ସ । ସେ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କୁ ଭଲ ପାଉଥିବା ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ କାମନା କରିଛନ୍ତି।
ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ ଅଭିନେତାଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ଇଣ୍ଟରଭେନସନାଲ ହୃଦ୍ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି। ମଙ୍ଗଳବାର ଦିନ କାର୍ଡିଆକ୍ କ୍ୟାଥ୍ ଲ୍ୟାବ୍ରେ କିଛି ପରୀକ୍ଷା ଏବଂ କିଛି ପଦ୍ଧତି କରାଯିବ। ବର୍ତ୍ତମାନ ସୁଦ୍ଧା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆପୋଲୋ ହସ୍ପିଟାଲ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଡିସେମ୍ବର ୨୦୨୦ରେ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରଜନୀକାନ୍ତ ବର୍ତ୍ତମାନ ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଯାଉଛି । ଜୁଲାଇରେ ହାଇଦ୍ରାବାଦରେ ‘କୁଲି’ର ସୁଟିଂ ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ। ଅନ୍ୟପଟେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ ‘ଭେଟ୍ଟିୟାନ’ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।
Comments are closed.