Latest Odisha News

ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?

ଭୁବନେଶ୍ବର: ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ ! ଆମେରିକାର ସାଂଘାତିକ ଅଭିଯୋଗକୁ ନେଇ ଶିଳ୍ପଠୁ ରାଜନୀତି ଜଗତରେ ହଟଚମଟ। ଦେଶରେ ସୌର ଶକ୍ତି ଚୁକ୍ତି ହାସଲ କରିବାକୁ ସରକାରୀ ଅଧିକାରୀଙ୍କୁ ୨୧ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଓଡିଶାରେ ମଧ୍ୟ ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି ଗୌତମ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲେ । ଆଦାନୀ ଲାଞ୍ଚ କାରବାରକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଥିବା ବେଳେ ରାଜ୍ୟରେ କୌଣସି ରାଜନୈତିକ ଦଳ ଏହାକୁ ନେଇ ମୁହଁ ଖୋଲୁନାହାନ୍ତି ।

ଓଡିଶାରେ କିଏ ନେଇଥିଲେ ଲାଞ୍ଚ?

୨୦୨୧ ଜୁଲାଇ ଓ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଜାମ୍ମୁ କାଶ୍ମୀର, ତାମିଲନାଡୁ ଓ ଛତିଶଗଡ଼ରେ ବିଦ୍ୟୁତ ବଣ୍ଟନ କମ୍ପାନୀଠାରୁ ବିଦ୍ୟୁତ ଯୋଗାଣ କାମ ପାଇବା ଲାଗି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । ପ୍ରତି ମେଗାଓ୍ବାଟ ପିଛା ଲାଞ୍ଚର ପରିମାଣ ଧାର୍ଯ୍ୟ କରାଯାଉଥିଲା । ଲାଞ୍ଚ କାରବାର ଟ୍ରାକ କରିବା ପାଇଁ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀଙ୍କ ଫୋନ୍ ବ୍ୟବହାର ହୋଇଥିବା କୁହାଯାଉଛି । ଅଭିଯୋଗ ଆସିଥିବା ସମୟରେ ରାଜ୍ୟରେ ବିଜେଡି ସରକାର ଥିଲା । ତେବେ ପ୍ରଶ୍ନ ଉଠୁଛି, ଅଭିଯୋଗ ଯଦି ସତ ତେବେ କାହାକୁ ଲାଞ୍ଚ ଦେଇଥିଲେ ଆଦାନୀ? ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ନା ଅନ୍ୟ କେହି କୋଟି କୋଟି ଟଙ୍କାର ଲାଞ୍ଚ କାରବାର କରିଥିଲେ?

ଜଗନଙ୍କୁ ଯାଚିଥିଲେ ଲାଞ୍ଚ !

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ବା ଏସଇସିର ଅଭିଯୋଗ ଅନୁସାରେ, ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଲାଞ୍ଚ ଯାଚିଥିଲେ ଗୌତମ ଆଦାନୀ । ୨୦୨୧ ମସିହା ଅଗଷ୍ଟ ମାସରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ସହ ସୌର ଶକ୍ତି ଚୁକ୍ତି ପାଇଁ ଲାଞ୍ଚ ଯାଚିଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର ଜଣେ ସରକାରୀ ଅଧିକାରୀଙ୍କୁ ୧୭ଶହ ୫୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଆନ୍ଧ୍ର ସହ ଛତିଶଗଡ଼, ତାମିଲନାଡୁ ଓ ଜାମ୍ମୁ କାଶ୍ମୀର ସରକାରଙ୍କ ଅଧିକାରୀଙ୍କୁ ୨୧ଶହ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି ।

ରାଜନୀତିରେ ‘ଆଦାନୀ’ ଝଡ଼

ଲାଞ୍ଚ ଅଭିଯୋଗକୁ ନେଇ ଦେଶ ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଗିରଫଦାରୀ ଦାବି କରିଛନ୍ତି । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବା ସହ ମୋଦି ଆଦାନୀଙ୍କୁ ଯାଞ୍ଚରୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ରାହୁଲ । ସେପଟେ ବିଜେପି ଏହି ପ୍ରସଙ୍ଗରେ କଡା କାଉଣ୍ଟର କରିଛି । ଅଭିଯୋଗରେ ଦର୍ଶାଯାଇଥିବା ରାଜ୍ୟ ଗୁଡିକରେ ଅଣବିଜେପି ସରକାର ଥିଲା । ତେଣୁ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଲାଞ୍ଚ କାରବାରକୁ ନେଇ ଉତ୍ତର ଦିଅନ୍ତୁ ବୋଲି ବିଜେପି କହିଛି ।

କାହିଁକି ଚୁପ୍ ସବୁ ଦଳ?

ଲାଞ୍ଚ କାରବାର ଅଭିଯୋଗ ଆସିଥିବା ସମୟରେ ଓଡିଶାରେ ବିଜେଡି ସରକାର କ୍ଷମତାରେ ଥିଲା ତ ଆନ୍ଧ୍ରରେ ଥିଲା ଜଗନମୋହନ ରେଡ୍ଡୀଙ୍କ ସରକାର । ଛତିଶଗଡ଼ରେ କଂଗ୍ରେସ ସରକାର ଥିଲା ତ ତାମିଲନାଡୁରେ ଡିଏମକେ କ୍ଷମତାରେ ରହିଥିଲା। ଅର୍ଥାତ ଅଭିଯୋଗ କୌଣସି ଗୋଟିଏ ଦଳ ବିରୋଧରେ ନୁହେଁ । କେଉଁଠି ନା କେଉଁଠି ସ୍କାନରରେ ସବୁ ଦଳ ରହିଛନ୍ତି । ବିଜେପିକୁ ବିରୋଧୀ ଦଳ ସବୁବେଳେ ଆଦାନୀ ସହ ଯୋଡ଼ି ଟାର୍ଗେଟ୍ କରୁଥିବା ବେଳେ ଏଥର ଦୃଢ଼ ଭାବେ କହିବାକୁ ବଳ ନାହିଁ । ଆମେରିକାର ସାଂଘାତିକ ଅଭିଯୋଗ ସ୍କାନରରେ ଓଡିଶା ବି ରହିଛି । ହେଲେ ଆଦାନୀ ଲାଞ୍ଚ କାରବାର ନେଇ ମୁହଁ ଖୋଲୁନାହାନ୍ତି କୌଣସି ଦଳ । ବିଜେଡି କ୍ଷମତାରେ ଥିଲା, ତେବେ ଆଦାନୀ ଲାଞ୍ଚ ଦେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଛତିଶଗଡ଼ ସ୍କାନରରେ ଆସିବା ପରେ କଂଗ୍ରେସ ମୁହଁ ବନ୍ଦ । ଆଦାନୀ ସହ ଦୋସ୍ତାନା ଅଭିଯୋଗ ଆସୁଥିବା ବିଜେପି ବି ଏକପ୍ରକାର ଚୁପ୍ । ତେବେ ଆମେରିକା ଆଣିଥିବା ଅଭିଯୋଗର ସତ୍ୟତା କେତେ? ୨୦୨୩ରେ ହିଣ୍ଡେନବର୍ଗର ଚାଞ୍ଚଲ୍ୟକର ରିପୋର୍ଟ ଯୋଗୁଁ ଆଦାମୀ ସେୟାରଗୁଡିକର ଯେତିକି କ୍ଷତି ହୋଇଥିବା ଏବେ ତାଠାରୁ ଅଧିକ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.