Latest Odisha News

BREAKING NEWS

ଶରଧାବାଲିରେ ତିନି ଠାକୁର; ଆଜି କରିବେ ଆଡ଼ପ ବିଜେ

ପୁରୀ:ଶରଧା ବାଲିରେ ଛିଡା ହୋଇଛି ତିନି ରଥ । ରଥ ଉପରେ ମହାବାହୁଙ୍କୁ ମନଭରି ଦେଖୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥର  ରଥଯାତ୍ରା ବେଳେ ଅନେକ ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ରହିଥିଲା ନନ୍ଦିଘୋଷ ଓ ଦର୍ବଦଳନ । ପରଦିନ ଆସିଥିଲେ ଗୁଣ୍ଡିଚାମନ୍ଦିରକୁ । ସେଠାରେ ବି ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା । ୪ ଘଣ୍ଟା ଉପାସରେ ରହିଲେ ଠାକୁର। ଶେଷରେ ଆଜି ଆଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ରଥ ଉପରେ ଆଜି ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ । ଅପରାହ୍ମରେ ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ଯିବେ ଶ୍ରୀଜିଉ ।  ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା ।

ନିୟମ ଅନୁସାରେ ରଥ ଲାଗିବା ପର ଦିନ ପ୍ରଭୁ ଆଡପ ବିଜେ କରିବେ । ରଥଯାତ୍ରା ଦିନ କେବଳ ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲେ ହେଁ ଦେବୀ ସୁଭଦ୍ରା ଓ କାଳିଆ ଠାକୁରଙ୍କ ରଥ ଅଧାବାଟରେ ଅଟକି ଯାଇଥିଲା । ପରଦିନ ଅର୍ଥାତ ବୁଧବାର ଏହି ଦୁଇ ରଥ ଶରଧାବାଲିରେ ଲାଗିଥିଲା । ତେଣୁ ଆଜି ତିନିଠାକୁର ଆଡପ ବିଜେ କରିବେ ।

ଯାହା ବି ହେଉ, ତିନି ଦିନ ଧରି  ମହାପ୍ରଭୁ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏତେ ପାଖରେ ରଥ ଉପରେ ପ୍ରିୟ ଠାକୁରଙ୍କୁ ଦେଖି ଭକ୍ତ ବିଭୋର ହୋଇ ପଡିଛନ୍ତି  । କିଏ ଠାକୁରଙ୍କୁ ଦେଖି କାନ୍ଦି ପକାଉଛି ତ କିଏ ଦୂରରୁ ହାତ ବଢାଇ ଆଲିଙ୍ଗନ କରି ନେଉଛି । ଶରଧାବାଲିରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ଦର୍ଶନ ବେଶ ହୃଦୟସ୍ପର୍ଶୀ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.