ଭୁବନେଶ୍ୱର; ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଁଚିଥିବା ବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି ଛୁଟିଥିଲା ଏବଂ ପଞ୍ଜିକରଣ ପରେ ବିଭିନ୍ନ ଷ୍ଟଲ ବୁଲି ନିଜ ନିଜର ମନ ମୁତାବକ ଘରକରଣା ସାମଗ୍ରୀ କ୍ରୟ କରିବାକୁ ଭିଡ଼ ଜମିଥିଲା ।
ଏଥର ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆଦିବାସୀ ଜନଜୀବନ ଉପରେ ଆଧାରିତ ଏକ ବିରଳ ଫଟୋଚିତ୍ରର ମଣ୍ଡପ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖୋଲାଯାଇଥିବା ଏହି ସୁଦୃଶ୍ୟ ମଣ୍ଡପରେ ରାଜ୍ୟର ୬୨ଟି ଆଦିବାସୀ ବର୍ଗର ସାମାଜିକ ଚଳଣୀ, ସାଂସ୍କୃତିକ ଜୀବନ, ପୋଷାକ ପରିଧାନ ଓ ଅଳଙ୍କାର ଆଦିର ଯେଉଁ ମନଲୋଭା ଫଟୋଚିତ୍ର ସ୍ଥାନିତ ହୋଇଛି, ତାହା ଦର୍ଶକମାନଙ୍କୁ କିଛି ମୁହୂର୍ତ ପାଇଁ ବାନ୍ଧି ରଖି ପାରୁଛି ।
ବିଶେଷ କରି ବଣ୍ଡା, ଗଦବା, ଦୁରୁଆ, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସଉରା ଆଦି ବର୍ଗର ଆଦିବାସୀ ନାରୀ ମାନେ ସେମାନଙ୍କର ପାରମ୍ପରିକ ପୋଷାକ ଓ ଗହଣା ଆଦି ପିନ୍ଧି ହାତକୁ ହାତ କାନ୍ଧକୁ କାନ୍ଧ ମିଳାଇ ପାରମ୍ପରିକ ନୃତ୍ୟଗୀତରେ ନିମଗ୍ନ ଥିବାର ଯେଉଁ ସବୁ ଫଟୋଚିତ୍ର ସ୍ଥାନ ପାଇଛି, ତାହାକୁ ସଂସ୍କୃତି ଓ ପରମ୍ପରାର ଏକ ଯୁଗଳବନ୍ଦୀ କହିଲେ ଭୁଲ୍ ହେବ ନାହିଁ ।
ନୃତ୍ୟ ବିଭୋର ଜନଜାତିର ସଂସ୍କୃତି ପ୍ରାଣତାର ସ୍ପଷ୍ଟ ଚିତ୍ର ଏଥିରେ ପ୍ରତିଫଳିତ ହେଉଛି । ଆମ ରାଜ୍ୟର ଜନଜାତି ଆଜି ଦାରିଦ୍ର୍ୟ ଓ ଅନଗ୍ରସରତାର ଅମା ଅନ୍ଧକାର ମଧ୍ୟରୁ ବାହାରି ସଭ୍ୟତା ଓ ବିକାଶ ଆଡକୁ ଯେପରି ଦ୍ରୁତ ଅଗ୍ରସର ହେଉଛନ୍ତି, ତାହାର କେତେକ ସୁଦୃଶ୍ୟ ଫଟୋଚିତ୍ର ‘ଜୀବନ ସ୍ରୋତରେ ଆମ ଜନଜାତି’ ଶୀର୍ଷକ ବିଭାଗରେ ଦେଖିବାକୁ ମିଳୁଛି।
ସେହିପରି ‘ବିମଣ୍ଡିତ ବିବିଧତା’ ଶୀର୍ଷକ ବିଭାଗରେ ଭିନ୍ନ ଭିନ୍ନ ବର୍ଗର ଜନଜାତିଙ୍କ ଦୈନନ୍ଦିନ ଜୀବନ ଶୈଳୀ ଓ ସାଂସ୍କୃତିକ ପରମ୍ପରାର କେତେକ ଝଲକ୍ ପ୍ରତିଫଳିତ ହୋଇଛି । ରାଜ୍ୟର ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିବାକୁ ସରକାର ସଂକଳ୍ପବଦ୍ଧ ପ୍ରୟାସ ଜାରି ରଖିଛନ୍ତି । ଆଦିବାସୀ ପିଲାମାନେ କିପରି ବହୁ ସଂଖ୍ୟାରେ ବିଦ୍ୟାଳୟ ପରିସରକୁ ଆସି ଅତି ଆଗ୍ରହର ସହିତ ପାଠପଢ଼ାରେ ସାମିଲ ହୋଇଛନ୍ତି, ତାହାର କେତେକ ଚିତ୍ର ମଣ୍ଡପରେ ସ୍ଥାନିତ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତୀତରେ ଆଦିବାସୀ ମେଳାକୁ ଆସିଥିବା ବେଳେ ଆଦିବାସୀ ଶିଶୁ ଓ ମହିଳାଙ୍କ ସହିତ କଟାଇଥିବା ବିଶେଷ ମୁହୂର୍ତର ଫଟୋ ଖୁବ୍ ଚିତାକର୍ଷକ ହୋଇଛି ।ଜାତିର ଜନକ ମହାତ୍ମା ଗାନ୍ଧୀ ଦଳିତ ଓ ଆଦିବାସୀ ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶକୁ ଜୀବନର ମୂଳମନ୍ତ୍ର ରୂପେ ଗ୍ରହଣ କରିନେଇଥିଲେ । ତେଣୁ ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ତାଙ୍କର ବଡ଼ ଚିତ୍ର ଶୋଭା ପାଉଛି ।
ଜଣେ ଗରିବ ଲୋକର କୁଡ଼ିଆ ଭିତରେ ଥିବା ଗାନ୍ଧୀଜୀଙ୍କ ଚିତ୍ରର ଠିକ୍ ତଳେ ଲେଖାଯାଇଛି ତାଙ୍କର ସେହି ଅମର ବାଣୀ- ‘ଅନୁସୂଚିତ ଜାତି ଓ ଜନଜାତି ମାନଙ୍କର ସାମଗ୍ରିକ ବିକାଶ ମୋ’ର ଅନ୍ୟ ଏକ ସଂକଳ୍ପ,’ ଯାହା ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରୁଛି ।
Comments are closed.