Latest Odisha News

BREAKING NEWS

ଏଡିଆର ରିପୋର୍ଟ: ବିଜେଡି କହିଲା ଦେଶର ଧନୀ ଦଳ ବିଜେପି, ଆୟର ଉତ୍ସ କେଉଁଠି ପଚାରିଲେ ବିରୋଧୀ

ଭୁବନେଶ୍ୱର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ବିଜୁ ଜନତା ଦଳ ୩୦୭.୨୮୮ କୋଟି ଟଙ୍କାର ଆୟ ସହ ଭାରତର ଦ୍ୱିତୀୟ ଧନୀ ଆଞ୍ଚଳିକ ରାଜନୈତିକ ଦଳ ଭାବେ ତାଲିକାଭୁକ୍ତ କରାଯିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେପି ଓ କଂଗ୍ରେସ ପକ୍ଷରୁ ଶାସକ ଦଳକୁ ତୀବ୍ର ସମାଲୋଚନା କରାଯିବା ସହ ଦଳର ପାଣ୍ଠିର ଉତ୍ସକୁ ନେଇ ପ୍ରଶ୍ନ ଉଠିଛି।

ବିଜେପି ଦାବି କରିଛି ଯେ ଏଡିଆର ରିପୋର୍ଟରେ ଦର୍ଶାୟାଇଥିବା ଆୟ କେବଳ ନାମକୁ ମାତ୍ର, ଶାସକ ଦଳ ଗତ ୨୩ ବର୍ଷ ମଧ୍ୟରେ ଆଇନଗତ ପାଣ୍ଠି ବ୍ୟତୀତ ୪୫୦୦ କୋଟି ଟଙ୍କାର କଳାଧନ ସଂଗ୍ରହ କରିଛି। ବିଜେଡି ଏମଓୟୁ ସ୍ୱାକ୍ଷର କରିବା ସମୟରେ ଶିଳ୍ପାନୁଷ୍ଠାନରୁ ବିପୁଳ ପରିମାଣର ଅର୍ଥ ଦାବି କରାଯାଉଛି, ଯେଉଁଥିପାଇଁ ସେମାନେ ଓଡ଼ିଶାକୁ ଆସୁନାହାନ୍ତି।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସଂଖ୍ୟା ୫ଲକ୍ଷରୁ ଅଧିକ ହେବ। ମୁଖ୍ୟମନ୍ତ୍ରୀ ୨୩ବର୍ଷ ଶାସନରେ ରହି ବି ନିଜ ଅଞ୍ଚଳର ଶିଳ୍ପାଚଂଳ କିମ୍ବା ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ୫ଲକ୍ଷରୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ୭୦ ରୁ ୭୫ ପ୍ରତିଶତ ଲୋକ ସୁରତର ସୂତାକଳରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୩ ମାସରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ପାତ୍ରପୁର, ଛତ୍ରପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକର ୪ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

କଂଗ୍ରେସ ମଧ୍ୟ ବିଜେଡିକୁ ସମାଲୋଚନା କରି ସେମାନେ ଏତେ ଟଙ୍କା କେଉଁଠୁ ସଂଗ୍ରହ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଦଳ ବିଦେଶ ଓ ଭାରତର ବିଭିନ୍ନ ସହରରେ ଥିବା ଅଣ ଓଡ଼ିଆ ଅଧିକାରୀଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଟଙ୍କା ଆଦାୟ କରୁଛି ବୋଲି ଅଭିଯୋଗ କରିଛି।

ଏହାର ଜବାବରେ ବିଜେଡି ନିଜ ପକ୍ଷ ରଖି କହିଛି ଯେ ସବୁ ଦଳ କେନ୍ଦ୍ର ସରକାର ଓ ନିର୍ବାଚନ କମିସନରଙ୍କ ନିକଟରେ ନିଜର ବାଲାନ୍ସ ସିଟ୍ ଦାଖଲ କରିବା ଆବଶ୍ୟକ ଏବଂ ସେମାନେ ଇଲେକ୍ଟୋରାଲ ବଣ୍ଡ ଓ ମେମ୍ବରସିପ୍ ଫି’ ମାଧ୍ୟମରେ ଅର୍ଥ ସଂଗ୍ରହ କରନ୍ତି, ଯାହା ଆଇନ ସମ୍ମତ। ବିଜେଡି ମଧ୍ୟ ବିଜେପିକୁ ମନେ ପକାଇ ଦେଇଛି ଯେ ସେମାନଙ୍କ ଦଳ ଭାରତର ସବୁଠାରୁ ଧନୀ ଦଳ।

୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାର ଲାଗିଛି। ସବୁ ଦଳ କ୍ଷମତା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Leave A Reply

Your email address will not be published.