ଭୁବନେଶ୍ୱର: ଚଳିତ ବର୍ଷ ସ୍ନାତକ, ସ୍ନାତକୋତ୍ତର ନାମଲେଖା ଆଗୁଆ ହେବ । ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ ଆଗୁଆ କରାଯିବ ।
ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ମଧ୍ୟ ସଠିକ୍ ସମୟରେ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ସେମାନଙ୍କ ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସରିବାର ମାସକ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବେ । ଯାହାଦ୍ବାରା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଓଡ଼ିଶାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।
ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି) କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଆବେଦନ ପୂର୍ବରୁ ସମସ୍ତ ବିଷୟକୁ ସଠିକ୍ ଭାବେ ୱେବସାଇଟ୍ ରେ ସଂଲଗ୍ନ କରିବା ଓ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବିଷୟ ତାଲିକା ପ୍ରଦାନ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ସମସ୍ତ ପ୍ରକ୍ରିୟା ସରିବା ପରେ ପୂର୍ବବର୍ଷ ପରି ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ ଆରମ୍ଭ କରିବାକୁ ବିଭାଗ ଯୋଜନା କରିଛି ।