Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ’ଖୋଲି ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର: ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ‘ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ’ରେ ଅପସାରଣ କରାଯାଇଛି । ମସ୍ତିଷ୍କକୁ ନ’ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ନବରଙ୍ଗପୁର ଅଞ୍ଚଳର ୩୧ ବର୍ଷୀୟ ଇଲେକ୍ଟ୍ରିସିଆନ ସିଲୁ ଜେନା ମୁଣ୍ଡର ଡାହାଣ ପାଶ୍ୱର୍ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଡାହାଣ ଆଖିରେ ସବୁ ପଦାର୍ଥ ଦୁଇ ଦୁଇଟି ଦେଖାଯିବାର ସମସ୍ୟା ନେଇ ସମ୍ ହସ୍ପିଟାଲରେ ପହଞ୍ଚିଥିଲେ । ଗତି କିଛି ମାସ ଧରି ତାଙ୍କର ଏଭଳି ସମସ୍ୟା ଦେଖାଦେଇଥିଲା । ଅନେକ ସ୍ଥାନରେ ପରାମର୍ଶ କରି ବିଫଳ ହେଲା ପରେ ଶିକ୍ଷା ଓ ଅନୁସନ୍ଧାନର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ସେ ପରାମର୍ଶ କରିଥିଲେ ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ‘ଇ ଏଣ୍ଡ ଟି’ ଏବଂ ‘ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀ’ର ବିଶେଷଜ୍ଞ ତଥା ସମ୍ ହସ୍ପିଟାଲ୍ର ସିନିୟର କନସଲଟାଣ୍ଟ ଡାକ୍ତର ରାଧାମାଧବ ସାହୁ ।

ଡାକ୍ତର ରାଧାମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଆରମ୍ଭ କରାଯାଇଥିଲା । ବିଭିନ୍ନ ପରୀକ୍ଷା ଓ ଏମ୍.ଆର୍.ଆଇ ରିପୋର୍ଟରୁ ଜଣାପଡ଼ିଲା ଚକ୍ଷୁର ପଛ ପାଖ ଦେଇ ମସ୍ତିଷ୍କ ମଧ୍ୟକୁ ଯାଇଥିବା ସ୍ନାୟୁର ମଧ୍ୟ ଭାଗରେ ଏକ ଟ୍ୟୁମର ସୃଷ୍ଟି ହୋଇଛି । ଯଦ୍ୱାରା ଟ୍ୟୁମର ଥିବା ସ୍ଥାନ ମେକେଲସ୍କେଭରୁ ଚକ୍ଷୁ ମଧ୍ୟକୁ ସଂଯୋଜିତ କରୁଥିବା ସ୍ନାୟୁଗୁଚ୍ଛ ସବୁକୁ ଟ୍ୟୁମରଟି କାଭେରନସ୍ ସାଇନସ୍ ପାଖରେ ଚାପି ରଖିଥିଲା । ଏହି ପରିସ୍ଥିତିରେ ରୋଗୀର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଏବଂ ଜଟିଳ ଥିଲା ।

ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର ସାହୁ ଓ ସେ ରୋଗୀକୁ ସମ୍ପୂର୍ଣ୍ଣ ପରୀକ୍ଷା କରି ବ୍ରେନ୍ ଏମ୍ଆର୍ଆଇ ଦ୍ୱାରା ମସ୍ତିଷ୍କର ମେକଲ୍ସ କେଭ୍ ପାଖାପାଖି ସ୍ଥାନରେ “ଟ୍ରାଇଜେମିନାଲ୍ ସ୍ୱାନୋମା” ହୋଇଥିବାରର ଜାଣିବାକୁ ପାଇଥିଲେ ।

ଏହି ପ୍ରକାର ଜଟିଳ ରୋଗରୁ ମୁକ୍ତି ନିମନ୍ତେ ଅଧିକାଂଶ ସମୟରେ ସାଧାରଣତଃ ସମ୍ପୂର୍ଣ୍ଣ ମସ୍ତିଷ୍କକୁ ଖୋଲି ଓପନ୍ ବ୍ରେନ୍ ସର୍ଜରୀ କରାଯାଇଥାଏ । ଯାହାଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ଅନେକ ଦନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଥାଏ ଓ ଜୀବନ ପ୍ରତି ବିପଦ ରହିଥାଏ । ଏହି ଅପରେସନ୍ ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ ଓ ହସ୍ପିଟାଲରେ ବେଶି ଦିନ ରହିବାକୁ ପଡ଼ିଥାଏ ।

ମାତ୍ର ଡାକ୍ତର ସାହୁ ଏବଂ ଡାକ୍ତର ଏସ୍. ପାଣିଗ୍ରାହି ଓପନ୍ ବ୍ରେନ୍ ସର୍ଜରୀ ନକରି ନାକ ବାଟ ଦେଇ ଆଡଭାନ୍ସଡ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀ ଦ୍ୱାରା ଟ୍ୟୁମରଟିକୁ ସଫଳତାର ସହ କାଢ଼ିପାରିଛନ୍ତି । ଅପରେସନର ୫ ଦିନ ପରେ ରୋଗୀ ଘରକୁ ଫେରି ଯାଇପାରିଛି ।

ଏହି ବିରଳ ଅସ୍ତ୍ରୋପଚାର ଏହି ପ୍ରକାର ଟ୍ୟୁମର ପାଇଁ ନାକ ବାଟ ଦେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ କରାଯାଇଥିବା ଡାକ୍ତର ସାହୁ କହିଛନ୍ତି ।

ସମ୍  ହସ୍ପିଟାଲ ଆସିବା ଆଗରୁ ରୋଗୀଟି ଅନ୍ୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ ।

ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଏଣ୍ଡୋସ୍ପୋପିକ୍ ସ୍କଲ୍ବେସ୍ ସର୍ଜରୀ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.