ଭୁବନେଶ୍ଵର: ଅଦିନିଆ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାର ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି । ଧାନ ଖଳା ଓ ବିଲରେ ବର୍ଷା ପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି । ଯାହା ଫଳରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଏବେ ବସିଛନ୍ତି ଚାଷୀ କୂଳ ।
ଏହା ଭିତରେ ଚାଷୀଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର । ତେବେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମାନୁଯାୟୀ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯାଏ ।
ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ତେବେ ବୀମା ସହାୟତା ପ୍ରଦାନ ପାଇଁ ଚାଷୀମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ଗଣମାଧ୍ୟମ ଜରିଆରେ ସମବାୟ ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, ବିଗତ କିଛି ଦିନ ଧରି ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ, ରାୟଗଡା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଅମଳ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଛି ।
ଏହି ସମସ୍ତ ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ସେମାନଙ୍କ ଖରିଫ ଫସଲକୁ ପଞ୍ଜୀକୃତ କରିଛନ୍ତି । କ୍ଷତି ପୂରଣ ପାଇବା ପାଇଁ ପଞ୍ଜୀକୃତ ଚାଷୀମାନେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ସମବାୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।
ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ- ଭିଏଡବ୍ଲୁ, ବିଏଓ, ଡିଏଓ, ସିଏଡିଓ, କିମ୍ବା ସମବାୟ ଅଧିକାରୀ- ସିଇଓ, ଏଆରସିଏସ, ଡିଆରସିଏସଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।