Latest Odisha News

୧୦ ବର୍ଷ ପରେ ସ୍ଵାଧିନତା ଦିବସ ଉତ୍ସବରେ ପ୍ରଥମ ଥର ନଜର ଆସିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ୧୦ ବର୍ଷ ପରେ ସ୍ଵାଧିନତା ଦିବସ ସମାରୋହରେ ନଜର ଆସିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପାରମ୍ପାରିକ ଧଳା କୁର୍ତ୍ତାରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ଲାଲକିଲ୍ଲାରେ ଥିବା ରେଡ୍ କାର୍ପେଟ୍ ଦେଇ ସେ ପଞ୍ଚମ ଧାଡିରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ପାଇଁ ସିଟ୍ ସଂରକ୍ଷିତ ଥିଲା। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ତାଙ୍କ ପାଖରେ ବସିଥିଲେ। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଲଲିତ ଉପାଧ୍ୟାୟ ରାହୁଲଙ୍କ ପାଖରେ ବସିଥିଲେ। ଏହା ବ୍ୟତୀତ ପ୍ରଧାନ ବିଚାରପତି ଜିଆଇ ଚନ୍ଦ୍ରଚୁଡ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଆଗ ଧାଡିରେ ଉପସ୍ଥିତ ଥିଲେ।

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀଦଳର ନେତା ପଦବୀ ଖାଲି ରହିଥିଲା। କାରଣ ସେହି ସମୟ ମଧ୍ୟରେ କୌଣସି ବିରୋଧୀ ଦଳର ନେତା ଏହି ପଦବୀ ପାଇଁ ଯୋଗ୍ୟତା ହାସଲ କରିବାକୁ ପର୍ଯ୍ୟାପ୍ତ ସାଂସଦ ନଥିଲେ। ତେବେ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଦଳର ଆସନ ସଂଖ୍ୟା ୯୯ ରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ୨୫ ଜୁନ୍ ୨୦୨୪ରେ ଲୋକସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ କରାଗଲା।

ସୂଚନା ଥାଉକି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଏକାଦଶ ଥର ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିବାକୁ ନିଜର ପ୍ରତିବଦ୍ଧତା ପ୍ରକାଶ କରିବାବେଳେ ଦୁର୍ନୀତିଗ୍ରସ୍ତଙ୍କ ଧାରାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

୭୮ ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, “ଆମର ପ୍ରତ୍ୟେକ ଦେଶବାସୀ ଦୁର୍ନୀତିର ଶିକାର ହୋଇ ଅସୁବିଧାରେ ପଡ଼ିଛନ୍ତି, ସେଥିପାଇଁ ଆମେ ଦୁର୍ନୀତି ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଛୁ।” ମୋଦି କହିଛନ୍ତି, ପୂର୍ବରୁ ଲୋକମାନେ କିଛି ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଆମେ ରାଜନୀତି କରି କାମ କରୁନାହୁଁ, ଆମେ ଦେଶକୁ ପ୍ରଥମେ ଧ୍ୟାନରେ ରଖି କାର୍ଯ୍ୟ କରୁଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ କିନ୍ତୁ ସେମାନଙ୍କର ଆକାଂକ୍ଷାକୁ ଧ୍ୟାନ ଦିଆଯାଇ ନ ଥିଲା। ଆମେ ତୃଣମୂଳ ସ୍ତରରେ ପ୍ରମୁଖ ସଂସ୍କାର ଆଣିଥିଲୁ। ସଂସ୍କାର ପ୍ରତି ଆମର ପ୍ରତିବଦ୍ଧତା ସାମୟିକ ପ୍ରଶଂସା କିମ୍ବା ବାଧ୍ୟତାମୂଳକ ନୁହେଁ, ବରଂ ଦେଶକୁ ମଜଭୁତ କରିବାର ସଂକଳ୍ପ।

 

Comments are closed.