Latest Odisha News

BREAKING NEWS

୧୦ ବର୍ଷ ପରେ ଏମଆଇର ଘରୋଇ ପିଚରେ ବିଜୟୀ ହେଲା ଆରସିବି

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚ ଆଇପିଏଲ ୨୦୨୫ର ୨୦ ନମ୍ବର ମ୍ୟାଚ ଥିଲା ଏବଂ ଏପ୍ରିଲ ୭ ତାରିଖ ସୋମବାର ଦିନ ଖେଳା ଯାଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ଏହି ମ୍ୟାଚ ଯାଇଥିଲା । ମ୍ୟାଚରେ ଆରସିବି ୧୨ ରନରେ ଜିତିଛି। ରଜତ ପାଟିଦାରଙ୍କ ନେତୃତ୍ଵରେ ଆରସିବି ଏମଆଇକୁ ହରାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଏମଆଇ ୫ଟି ମ୍ୟାଚରୁ ୪ଟି ହାରି ତଳ ଆଡକୁ ରହିଛି।

ପ୍ରଥମେ ବ୍ୟାଟିଂ କରି ଆରସିବି ଦମଦାର ଆରମ୍ଭ କରିଥିଲା। ପାୱାରପ୍ଲେରେ ୭୩ ରନ ସଂଗ୍ରହ କରିଥିଲେ ହେଁ ଫିଲ ସଲ୍ଟଙ୍କ ଉଇକେଟ ଶୀଘ୍ର ହରାଇଥିଲେ। ବିରାଟ କୋହଲି ଦମଦାର ବ୍ୟାଟିଂ କରି ୪୨ ବଲରେ ୬୭ ରନ କରିଥିଲେ, ଯେଉଁଥିରେ ୮ଟି ଚୌକା ଓ ୨ଟି ଛକା ଥିଲା। ତାଙ୍କ ସହ ଦେବଦତ୍ତ ପଦିକ୍କଲ ୨୨ ବଲରେ ୩୭ ରନ କରି ୯୧ ରନର ଭାଗିଦାରୀ ଦେଇଥିଲେ। ଏହା ପରେ ରଜତ ପାଟିଦାର ଓ କୋହଲି ମିଶି ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ। ୧୪ତମ ଓଭରରେ ମିଚେଲ ସାଣ୍ଟନରଙ୍କ ବିପକ୍ଷରେ ୨୦ ରନ ମାରିଥିଲେ।

କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା କୋହଲି ଓ ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରି ଆରସିବିକୁ ଝଟକା ଦେଇଥିଲେ। ଶେଷ ଓଭରଗୁଡ଼ିକରେ ପାଟିଦାର ୩୨ ବଲରେ ୬୪ ଓ ଜିତେଶ ଶର୍ମା ୧୯ ବଲରେ ୪୦ ରନ କରି ଆରସିବିକୁ ୨୨୧/୫ରେ ପହଞ୍ଚାଇଥିଲେ। ଏମଆଇ ପକ୍ଷରୁ ଜସପ୍ରୀତ ବୁମରା ୨ ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୫୭ ରନ ଦେଇ ଦୁଇ ଉଇକେଟ ପାଇଥିଲେ।

ରନକୁ ପିଛା କରି ଏମଆଇ ମଧ୍ୟ ଜୋରଦାର ଆରମ୍ଭ କରିଥିଲା । କିନ୍ତୁ ବିଜୟ ପାଇଁ ପର୍ଯ୍ୟାପ୍ତ ସ୍କୋର କରି ପାରିନଥିଲା। ରୋହିତ ଶର୍ମା ୧୭, ସୂର୍ଯ୍ୟକୁମାର ଯାଦବ ୨୮ ରନ୍ କରିଥିଲେ। ହାର୍ଦ୍ଦିକ ଓ ତିଲକ ବର୍ମା ୧୫ ବଲରେ ୫୦ ରନର ଭାଗିଦାରୀ କରିଥିଲେ। ତିଲକ ୨୯ ବଲରେ ୫୬ ଓ ହାର୍ଦ୍ଦିକ ୧୫ ବଲରେ ୪୨ ରନ କରିଥିଲେ। କିନ୍ତୁ ଭୁବନେଶ୍ଵର କୁମାର ଓ ଜୋଶ ହାଜଲଉଡଙ୍କ ବୋଲିଂ ଏମଆଇକୁ ଅଟକାଇ ଦେଇଥିଲା। ଶେଷରେ କ୍ରୁନାଲ ପାଣ୍ଡ୍ୟା ଦୁଇ ଉଇକେଟ ନେଇଥିଲେ । ଆଉ ଏମଆଇ ୨୦୯/୯ରେ ଅଟକି ଯାଇଥିଲା।

Comments are closed.