ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି ଯେ, ସେ ୟୁକ୍ରେନ୍ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ୟୁକ୍ରେନର ସହଯୋଗ ମଧ୍ୟ ଚାହୁଁଛନ୍ତି । ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟାର ଫୋନ୍ କଥାବାର୍ତ୍ତା ପରେ ଆସିଛି। ପୁଟିନ୍ କହିଛନ୍ତି, ରୁଷ ୟୁକ୍ରେନ୍ ସହ ଏକ ଶାନ୍ତି ଚୁକ୍ତି ପାଇଁ ପ୍ରସ୍ତାବ ରଖିବ ଏବଂ ଶାନ୍ତି ପ୍ରକ୍ରିୟାର ସମୟ ଓ ନୀତି ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତ। ଶାନ୍ତି ପାଇଁ ଏକ ଅସ୍ତ୍ରବିରତିର ଅବଧି ନିର୍ଦ୍ଧାରଣ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ବଡ଼ କଥା ହେଉଛି ଅସ୍ତ୍ରବିରତି ପାଇଁ ଭାରତ ସମେତ ଅନେକ ଦେଶ ପ୍ରସ୍ତାବ ଦେଇଛନ୍ତି । ହେଲେ ଉଭୟ ଦେଶର ମୁଖିଆ ଏହାକୁ ନେଇ ଅଗ୍ରସର ହେଉନଥିଲେ । ହେଲେ ଟ୍ରମ୍ପ ଫୋନରେ ଏମିତି କିଛି କହିଥିବା ଜଣାପଡ଼ିଛି, ଯେଉଁଥିପାଇଁ ପୁଟିନ ନିଜ ଆଡୁ ଅସ୍ତ୍ରବିରତି ପାଇଁ ଆଗେଇ ଆସିଛି ।
ଏହି ଯୁଦ୍ଧ ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିଲା, ଯେତେବେଳେ ରୁଷ ୟୁକ୍ରେନ୍ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲା। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ଼ ସଂଘର୍ଷ ବୋଲି ବିବେଚନା କରାଯାଏ। ରୁଷ ଦାବି କରିଥିଲା ଯେ, ଏହା ୟୁକ୍ରେନ୍କୁ ନିରସ୍ତ୍ରୀକରଣ କରିବା ଏବଂ ପୂର୍ବ ୟୁକ୍ରେନ୍ରେ ରୁଷିଆ ଭାଷୀ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏକ “ବିଶେଷ ସାମରିକ ଅପରେସନ୍”। କିନ୍ତୁ ଏହି ଆକ୍ରମଣକୁ ଅନେକେ ଅଯଥା ଆକ୍ରମଣ ବୋଲି ନିନ୍ଦା କରିଥିଲେ।
ପୁଟିନ୍ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି କାରଣ ସେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ସିଧାସଳଖ ଆଲୋଚନାକୁ ସମର୍ଥନ କରିଛନ୍ତି। ଏହି ଆଲୋଚନା ନିକଟରେ ତୁର୍କୀରେ ପୁନଃ ଆରମ୍ଭ ହୋଇଛି । ଯାହା ୨୦୨୨ ମାର୍ଚ୍ଚ ପରେ ପ୍ରଥମ ଥର ପାଇଁ ଘଟିଛି। ତଥାପି, ୟୁରୋପୀୟ ନେତାମାନେ ପୁଟିନ୍ଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ, ପୁଟିନ୍ ଓ ଟ୍ରମ୍ପ ୟୁକ୍ରେନ୍ ଉପରେ ଏକ କଠୋର ଶାନ୍ତି ଚୁକ୍ତି ଲଦି ଦେଇପାରନ୍ତି, ଯାହା ୟୁକ୍ରେନ୍କୁ ବିନା ସୁରକ୍ଷା ଗ୍ୟାରେଣ୍ଟିରେ ଏବଂ ପ୍ରାୟ ପଞ୍ଚମାଂଶ ଭୂଖଣ୍ଡ ହରାଇବାକୁ ବାଧ୍ୟ କରିପାରେ।
Comments are closed.