Latest Odisha News

୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

ସୁନ୍ଦରଗଡ଼: ପାକିସ୍ତାନ ଜେଲରୁ ସୁନ୍ଦରଗଡ଼ । ୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ପରେ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିରଜୁ କୁଲୁ । ଆଜି ସକାଳୁ ସେ ନିଜ ଗାଁ କୁତ୍ରାରେ ପହଞ୍ଚିଛନ୍ତି । ପ୍ରଥମେ ସେ କୁତ୍ରା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତାପରେ ଜନ୍ମମାଟି ରାଜଗାଙ୍ଗପୁର ବ୍ଲକର ଜଙ୍ଗତେଲି ଗାଁକୁ ଆସିଥିଲେ ବିରଜୁ । ତାଙ୍କୁ ଆଧାର କାର୍ଡ ଓ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି କୁତ୍ରା ବିଡିଓ କହିଛନ୍ତି ।

ଗତକାଲି ରାତିରେ ସେ କୁତ୍ରାଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡର ଗୁମଲାରେ ରାତି କାଟିଥିଲେ । ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଥିଲେ ବିରଜୁ କୁଲୁ । ଏତେ ବର୍ଷ ପରେ ବିରଜୁଙ୍କୁ ଦେଖି ଗାଁରେ ତାଙ୍କର ପିଲାବେଳର ସାଙ୍ଗାସାଥି ଓ ଆତ୍ମୀୟଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

୨୦-୨୫ ବର୍ଷ ତଳେ ମାନସିକ ଅନଗ୍ରସର ଥିଲେ ବିରଜୁ । ସେତେବେଳେ ଘର ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଓ ପରେ କେଉଁ ଆଡ଼େ ଚାଲି ଯାଇଥିଲେ ବିରଜୁ । ସେବେଠାରୁ ନିଖୋଜ ଥିଲେ । ଭୁଲ ବଶତଃ ଭାରତ ଛାଡ଼ି ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ । ସେବେଠାରୁ ସେ ପାକିସ୍ତାନ ଜେଲରେ ସଜା କାଟୁଥିଲେ ।

ବିରଜୁଙ୍କ ବାପା-ମାଆ ତାଙ୍କୁ ଖୋଜିଖୋଜି ନୟାନ୍ତ ହୋଇଥିଲେ । ଏବେ ସେମାନେ ଆରପାରିକୁ ଚାଲି ଗଲେଣି । ଏକମାତ୍ର ବଡ଼ ଭଉଣୀ ଅଛନ୍ତି । ପାକିସ୍ତାନରେ ୨୦ ବର୍ଷ ରହିବା ପରେ ସେ ମାତୃଭାଷା ଓଡ଼ିଆ ବି ଭୁଲି ଯାଇଥିବା କୁହାଯାଉଛି ।

Leave A Reply

Your email address will not be published.