Latest Odisha News

୯ ଦିନ ପରେ ରନ୍ଧାଖାଦ୍ୟ ଖାଇଲେ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ, ୧୦ମ ଦିନରେ ସାମ୍ନାକୁ ଆସିଲା ଭିତରର ଦୃଶ୍ୟ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ବିଷୟରେ ଆସିଲା ଆଶ୍ୱସ୍ତିର ଖବର । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଇଛି ରନ୍ଧାଖାଦ୍ୟ । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ସାମ୍ନାକୁ ଆସିଛି । ଏହି ଭିଡିରୁ ଜାଣିବାକୁ ମିଳିଛି ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।

୯ଦିନ ଧରି ଶୁଖିଲା ଖାଦ୍ୟ ଖାଇ ଟନେଲ ଭିତରେ ୪୧ ଶ୍ରମିକ ଜୀବନ ବଞ୍ଚାଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥାକୁ ଦୃଷ୍ଟିରେ ରଖି ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଥିଲା । ୨କିମି ଲମ୍ବା ସୁଡଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।

ପ୍ରଥମେ ଏକ ୪ ଇଞ୍ଚ କଂପ୍ରେସର ପାଇପରେ ଖାଦ୍ୟ, ଔଷଧ ଆଦି ଦିଆ ଯାଉଛି  । ହେଲେ ସୋମବାର ଏକ ୬ ଇଞ୍ଚ ଚଉଡା ପାଇପ ଡ୍ରିଲିଂ କର ପଶାଯାଇଛି ଯାହାଦ୍ୱାରା ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପଠା ଯାଇଛି । ପ୍ଲାଷ୍ଟିକ ବୋତଲରେ ଆଳୁ, ଦଲିଆ,ଡାଲି ଏବଂ ଖେଚେଡି ପଠାଯାଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି  ଏହି ଖାଦ୍ୟସାମଗ୍ରୀ ପଠାଯାଇଛି ।

ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଏନଏଚଆଇଡିସିଏଲ ଦ୍ୱାରା ହରାଇଜେଣ୍ଟାଲ ବୋରିଂ ଆରମ୍ଭ କରାଯାଇଛି । ଏଥିପାଇଁ ନାସିକ ଏବଂ ଦିଲ୍ଲୀରୁ ଯନ୍ତ୍ରପାତି ଆସି ପହଞ୍ଚି ସାରିଛି ।  ଅନ୍ୟପକ୍ଷେ ଭର୍ଟିକାଲ ବୋରିଂ ପାଇଁ ଓଏନଜିସି ଦ୍ୱାରା ୟୁଏସଏ, ମୁମ୍ବାଇ, ଗାଜିଆବାଦରୁ ମେସିନ ଆସିଛି । ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି  । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତୀଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.