Latest Odisha News

BREAKING NEWS

ବଲ୍ଲେ ବଲ୍ଲେ ଢାବା ପରେ କୁସୁମା ବଙ୍ଗଳା

ଯାଜପୁର: ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ପରେ ଯାଜପୁର କୁସୁମା ବଙ୍ଗଳାକୁ ନେଇ ଉଠିଲାଣି ବିବାଦ । ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିଲା ବିଳାସପୂର୍ଣ୍ଣ ବଙ୍ଗଳା। ବଲ୍ଲେ ବଲ୍ଲେ ଢାବା ଭଳି କୁସୁମା ବଙ୍ଗଳାକୁ ନେଇ ବି ସ୍ଥାନୀୟ ଲୋକେ ସାଂଘାତିକ ଅଭିଯୋଗ କରୁଛନ୍ତି । କହୁଛନ୍ତି, ଏଠାରେ ଦାମି ଗାଡି ଲାଗୁଥିଲା । ମଉଜ ମଜଲିସ କରୁଥିଲେ ବାବୁ। ଅଭିଯୋଗର ସତ୍ୟତା କେତେ ଜଣାପଡିନଥିଲେ ବି ତଦନ୍ତ ପାଇଁ ଦାବି ତେଜିଲାଣି ।

ଶିଶୁ ଉଦ୍ୟାନ ଜାଗାରେ ବଙ୍ଗଳା

ପର୍ଯ୍ୟଟନ ବିକାଶ ଲକ୍ଷ୍ୟରେ କୁସୁମା ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୧ ମସିହାରେ ଅନୁମତି ମିଳିଥିଲା । ଖର୍ଚ୍ଚ ହୋଇଥିଲା ପ୍ରାୟ ୨୨କୋଟି ଟଙ୍କା । ୨୦୧୮ ମସିହା ମାର୍ଚ୍ଚ ୨୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ୨୦୧୯-୨୦ରେ ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ୍ ଫାଉଣ୍ଟେନ୍ ପାଇଁ ୬କୋଟି ୬୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା । ତେବେ ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି । ଏପରିକି ନବୀକରଣ ଆଳରେ ୫ମାସ ଧରି କୁସୁମା ଭିତରକୁ ପର୍ଯ୍ୟଟକଙ୍କ ଛଡା ଯାଇନଥିଲା । ଫାଟକ ବନ୍ଦ ରଖି ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

କୁସୁମା ବଙ୍ଗଳା ଅନେକ ପ୍ରଶ୍ନ

ଯାଜପୁର ପୌରପାଳିକା ଅଧୀନରେ ରହିଥିବା କୁସୁମା ପରିସରକୁ ଯିବା ପାଇଁ ୩୦ଟଙ୍କା ଦେବାକୁ ପଡୁଥିଲା । ତେବେ ବଙ୍ଗଳାକୁ ଯିବାକୁ କାହାକୁ ଅନୁମତି ମିଳୁନଥିବା କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, କାହା ପାଇଁ ଏଭଳି ବିଳାସପୂର୍ଣ୍ଣ ବଙ୍ଗଳା ତିଆରି ହୋଇଥିଲା ? କୁସୁମା ବଙ୍ଗଳା ଭିତରେ କଣ ଚାଲିଥିଲା? ବଙ୍ଗଳାକୁ କେଉଁମାନେ ଯାଉଥିଲେ ? ବଙ୍ଗଳାରେ ଶୀତତାପ ନିୟନ୍ତ୍ରିତ କୋଠରି ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ରହିଥିବା କୁହାଯାଉଛି । ବଙ୍ଗଳା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେଉଁଠୁ ଆସିଲା ଏହି ଟଙ୍କା ? କାହିଁକି ନିର୍ମାଣ ହୋଇଥିଲା ଏହି ବଙ୍ଗଳା? ଏହାର ଉତ୍ତର ପୌର ପରିଷଦ ପାଖରେ ବି ନାହିଁ ।

ବଙ୍ଗଳାକୁ ନେଇ ସଂଗୀନ ଅଭିଯୋଗ

କୁସୁମା ବଙ୍ଗଳା ବାହାରେ ଲାଗୁଥିଲା ଦାମୀ ଗାଡ଼ି । ରାତିରେ ବି ଯାତାୟତ ହେଉଥିବା କହୁଛନ୍ତି ସ୍ଥାନୀୟ ଲୋକେ । ଏପରିକି ଅନେକ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସହ କିଛି ସାମ୍ବାଦିକ ମଧ୍ୟ ବଙ୍ଗଳାକୁ ଆସୁଥିବା ଚର୍ଚ୍ଚା ହେଉଛି । ମଉଜ ମଜଲିସର ଠିକଣା ପାଲଟିଥିଲା କି କୁସୁମା ବଙ୍ଗଳା? ଏଠାରେ ରହିବାକୁ କେତେ ଟଙ୍କା ଦେବାକୁ ପଡୁଥିଲା ? କେଉଁମାନେ ନିୟମିତ ଏଠାକୁ ଆସୁଥିଲେ ? ଏପର୍ଯ୍ୟନ୍ତ କେତେଜଣ ସେଠାରେ ରହିଛନ୍ତି? କୁସୁମା ବଙ୍ଗଳାକୁ ନେଇ ପୌର କର୍ତ୍ତୃପକ୍ଷ ଚୁପ୍ ରହିଥିବା ବେଳେ ଏହାର ପୂରା ତଦନ୍ତ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.