Latest Odisha News

ଜେଡିୟୁ ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ କ’ଣ କରିବେ ରାଜ୍ୟସଭା ଉପାଧ୍ୟକ୍ଷ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ନା କଣ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ବିହାରରେ ବିଜେପି ଏବଂ ଜେଡିୟୁ ପରସ୍ପରକୁ ମୁହଁ ମୋଡିବା ପରେ ଆରଜେଡି ସମେତ ୭ଟି ଦଳ ସହିତ ମିଶି ଜେଡିୟୁ ଏକ ମହାମେଣ୍ଟ ପାର୍ଟ ଟୁ ସରକାର ଗଠନ କରିଛି। ନୀତୀଶ କୁମାର ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଯେହେତୁ ବିଜେପି ଏବଂ ଜେଡିୟୁ ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଛି, ଏବେ ପ୍ରଶ୍ନ ଉଠୁଛି ଯେ ଜେଡିୟୁ କୋଟାରୁ ରାଜ୍ୟସଭାରେ ଡେପୁଟି ଚେୟାରମ୍ୟାନ ବା ଉପାଧ୍ୟକ୍ଷ ହୋଇଥିବା ହରିବଂଶ ନାରାୟଣ ସିଂଙ୍କ ସହ କ’ଣ କରିବ?

BjdElectrycity

ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ହରିବଂଶ ଇସ୍ତଫା ଦେବେ ନା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ମାର୍ଗ ଅନୁସରଣ କରିବେ?  ପୂର୍ବରୁ ସିପିଏମର ନେତା ସୋମନାଥ ଚାଟାର୍ଜୀ ୟୁପିଏ ସରକାର ସମୟରେ ଲୋକସଭାର ବାଚସ୍ପତି ଥିଲେ। କିନ୍ତୁ ୨୦୦୮ରେ ବାମପନ୍ଥୀ ଦଳ ଆମେରିକା ସହ ଆଣବିକ ଚୁକ୍ତି ପ୍ରସଙ୍ଗରେ ମନମୋହନ ସିଂ ସରକାରଠୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା।

ସିପିଏମ୍ ଚାହୁଁଥିଲା ସୋମନାଥ ଚାଟାର୍ଜୀ ମଧ୍ୟ ଲୋକସଭା ବାଚସ୍ପତି ପଦରୁ ଇସ୍ତଫା ଦିଅନ୍ତୁ। କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଯେ ବାଚସ୍ପତି କୌଣସି ଦଳର ନୁହଁନ୍ତି। କିନ୍ତୁ ସିପିଏମ୍ ତାଙ୍କର ଆଭିମୁଖ୍ୟକୁ ପସନ୍ଦ କରିନଥିଲା । ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏହା ପରେ ସୋମନାଥ ଚାଟାର୍ଜୀଙ୍କ ରାଜନୀତିକ କ୍ୟାରିୟର ମଧ୍ୟ ବେଶୀ ଦିନ ଚାଲିଲା ନାହିଁ। ସେ ୨୦୦୯ରେ ରାଜନୀତିରୁ ଅବସର ନେଇଥିଲେ। ୨୦୧୮ରେ ସୋମନାଥ ଚାଟାର୍ଜୀଙ୍କ ଦେହାନ୍ତ ହୋଇଛି। ତେବେ ଉପାଧ୍ୟକ୍ଷ ପଦବୀକୁ ନେଇ ବିଜେପି ଏବଂ ଜେଡିୟୁ ପକ୍ଷରୁ କୌଣସି ଆପତ୍ତି ନହେଲେ ମଧ୍ୟ ହରିବଂଶ ଅଡୁଆ ସାମ୍ନା କରିପାରନ୍ତି ।

ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ଦୁଇଥର ନିର୍ବାଚିତ ହୋଇଛନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହ ଜଡିତ ଥିଲେ। କେବଳ ଏତିକି ନୁହେଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଅତିରିକ୍ତ ଗଣମାଧ୍ୟମ ପରାମର୍ଶଦାତା ମଧ୍ୟ ରହିଛନ୍ତି। ସାମ୍ବାଦିକତା ଜଗତରେ ହରିବଂଶ ଏକ ଜଣାଶୁଣା ନାମ। ସେ ୪ ଦଶନ୍ଧି ଧରି ସକ୍ରିୟ ସାମ୍ବାଦିକତା କରିଥିଲେ। ଧର୍ମଗୁରୁ, ଆନନ୍ଦ ବଜାର ପତ୍ରିକା ଏବଂ ପ୍ରଭାତ ଖବର ପରି ଖବରକାଗଜ ଏବଂ ପତ୍ରିକା ସହିତ କାମ କରିଥିଲେ।

Leave A Reply

Your email address will not be published.