Latest Odisha News

BREAKING NEWS

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ ସୁବିଧା ଜନକ ସ୍ଥିତିରେ ରହିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରାପ୍ପା ଏବେ ଚିନ୍ତାମୁକ୍ତ । କାରଣ ବିଧାନସଭାରେ ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ ଲାଗି ଆଉ ୬ଟି ଆସନର ଆବଶ୍ୟକତା ପଡୁଥିଲା । ଏବେ ୧୨ଟି ଆସନରେ ଭାଜପା ବିଜୟ ହାସଲ କରିଥିବା ଯୋଗୁଁ ସୁବିଧାଜନକ ସ୍ଥିତିରେ ରହିବା ସ୍ୱାଭାବିକ ।

କର୍ଣ୍ଣାଟକ ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୧୨ଟି ଆସନ ମିଳିଥିବା ବେଳେ ବିରୋଧୀ କଂଗ୍ରେସକୁ ମିଳିଛି ୨ଟି ଆସନ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ହାସଲ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀଙ୍କ ଜେଡ଼ିଏସକୁ କୌଣସି ଆସନ ମିଳିପାରି ନାହିଁ ।

ସବୁଠାରୁ ବଡ଼କଥା ହେଲା ୨୦୧୮ ବିଧାନସଭା ନିର୍ବାଚନରେ ଏହି ୧୫ଟି ଆସନରେ କଂଗ୍ରେସ ଓ ଜେଡ଼ିଏସ ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଥିଲେ । କଂଗ୍ରେସ ଓ ଜେଡ଼ିଏସର ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ପ୍ରଦାନ କରିବା ପରେ ଏହି ନିର୍ବାଚନରେ ବିଜେପି ଟିକଟରେ ନିର୍ବାଚନ ଲଢି ବିଜୟ ହାସଲ କରିପାରିଛନ୍ତି । ତେଣୁ କଂଗ୍ରେସ ଓ ଜେଡ଼ିଏସକୁ ଏହି ନିର୍ବାଚନରେ ଅନେକ କିଛି ହରେଇବାକୁ ପଡ଼ିଛି ।

କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୨୨୫ । ତେବେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିକୁ ଆବଶ୍ୟକୀୟ ଆସନ ମିଳିପାରିଛି । ବିଜେପିକୁ ପୂର୍ବରୁ ୧୦୫ଟି ଆସନ ମିଳିଥିବା ବେଳେ ଏହା ଏବେ ୧୧୭କୁ ବୃଦ୍ଧି ଘଟିଛି । ବିଜେପି ସହିତ ନିର୍ଦ୍ଦଳୀୟ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି ।

ଏବେ ବିଧାନସଭାରେ କଂଗ୍ରେସର ୬୮ ଜଣ ସଭ୍ୟ ଏବଂ ଜେଡ଼ିଏସର ୩୪ ଜଣ ସଦସ୍ୟ ଅଛନ୍ତି । ଏପର୍ଯ୍ୟନ୍ତ ୨ଟି ଆସନ ଖାଲି ପଡ଼ିଛି ।

କର୍ଣ୍ଣାଟକ ବିଧାନସଭା ଉପ ନିର୍ବାଚନ ଫଳାଫଳ ଘୋଷଣା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବିରୋଧୀ ଦଳ ନେତା ପଦରୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.