ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଭିତରେ ଥିବା ଆତଙ୍କୀ ଅଡ୍ଡା ଧ୍ବଂସ କଲା ଭାରତ । ପାକିସ୍ତାନକୁ ବୁଝାଇଦେଲା, ଭାରତର ଶକ୍ତି କେତେ? ଭାରତର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଆଖି ଦେଖାଇଲା ତ ପଡୋଶୀ ଦେଶର ସେନା ଠିକଣାକୁ ଟାର୍ଗେଟ୍ କଲା ଭାରତ । ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବା ବେଳେ ଚୀନ୍ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ପରଦା ପଛରୁ ସମର୍ଥନ ଜଣାଇଥିଲେ । ତେବେ ଭାରତୀୟ ସେନା ଶତ୍ରୁ ପକ୍ଷର ପ୍ରତିଟି ଚାଲର ଜବାବ ଦେଇଛି । ତେବେ ସାମନାକୁ ଆସିଛି ଅନେକ ସତ । ଭାରତ ବିରୋଧରେ ପାକିସ୍ତାନକୁ ମୋହରା କରିଛି ଚୀନ୍ ତ ତୁର୍କୀ ଯୋଗାଇଛି ହତିଆର ।
ପାକିସ୍ତାନକୁ ତୁର୍କୀର ସମର୍ଥନ
ଭାରତର ସୀମାବର୍ତ୍ତୀ ଅଞ୍ଚଳ ସହ ପ୍ରମୁଖ ସହରକୁ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ତେବେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ପ୍ରତିଟି ଆକ୍ରମଣ ଉଦ୍ୟମକୁ ବିଫଳ କରିଥିଲା । ଖାଲି ସେତିକି ନୁହେଁ ଭାରତର ଜବାବି ଆକ୍ସନରେ ବ୍ୟାପକ କ୍ଷତି ସହିଛି ପାକିସ୍ତାନ । ତେବେ ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ନିର୍ମିତ ଡ୍ରୋନ୍ ବ୍ୟବହାର କରିଥିଲା ପାକିସ୍ତାନ । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ଫରେନସିକ ଯାଞ୍ଚରୁ ଏହା ତୁର୍କୀ ନିର୍ମିତ ଆସିସଗାର୍ଡ ସୋଙ୍ଗର ମଡେଲର ଡ୍ରୋନ୍ ବୋଲି ଜଣାପଡିଛି । ବିଶେଷ କରି ଆକ୍ରମଣ ବେଳେ ସଠିକ୍ ଟାର୍ଗେଟ୍ ହିଟ୍ କରିବାକୁ ଏହାର ବ୍ୟବହାର କରାଯାଏ । ଏଥିରୁ ପରଦା ପଛରୁ ହତିଆର ବିକି ତୁର୍କୀ ପାକିସ୍ତାନକୁ ସହଯୋଗ କରୁଥିବା ସ୍ପଷ୍ଟ ହୋଇଛି ।
ଚୀନର ଭାରତ ବିରୋଧୀ ଚାଲ୍
ଭାରତ ଓ ପାକିସ୍ତାନ ଅଶାନ୍ତି ମଧ୍ୟରେ ପଦାରେ ପଡିଛି ଚୀନର ସତ । ଆତଙ୍କବାଦ ବିରୋଧରେ ଲଢେଇ ନେଇ ମିଛ କହୁଥିବା ଚୀନ୍ ଲଗାତର ପାକିସ୍ତାନକୁ ହତିଆର ଯୋଗାଇଥିଲା । ଏପରିକି ଚୀନର ପ୍ରରୋଚନାରେ ହିଁ ପାକିସ୍ତାନ ଭାରତ ବିରୋଧରେ ଲଢେଇ ପାଇଁ ସାହାସ ଜୁଟାଇଥିବା ବି ବିଶେଷଜ୍ଞ କହିଛନ୍ତି । ଭାରତୀୟ ସେନା ଯେଉଁସବୁ ହତିଆରକୁ ମାରି ଖସାଇଥିଲା, ସେଥି ମଧ୍ୟରୁ ଅଧିକାଂଶ ଚୀନରେ ନିର୍ମିତ ଥିଲା । ପାକିସ୍ତାନ ପଞ୍ଜାବ ଓ ପିଓକେର କିଛି ଅଂଶରେ ଥିବା ଆତଙ୍କୀ ଅଡ୍ଡାରେ ଭାରତୀୟ ଆକ୍ରମଣର ଜବାବ ଦେବାକୁ ଜେଏଫ୍-୧୭ ଓ ଜେ-୧୦ସିଇ ଲଡାଖୁ ବିମାନ ସହ ପିଏଲ୍-୧୫ଇ ମିସାଇଲ୍ ମୁତୟନ କରିଥିଲା । ସେହିପରି ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଚକ୍ୟୁ-୯ ମିସାଇଲ୍ ସିଷ୍ଟମ ବ୍ୟବହାର କରିଥିଲା। ଏଚକ୍ୟୁ-୯, ପିଏଲ୍-୧୫ଇ ମିସାଇଲ୍ ଓ ଏହାର ପ୍ଲାଟଫର୍ମ ଜେ-୧୦ସିଇ ଚୀନ୍ ନିର୍ମିତ । ପ୍ରଥମ ଥର ପାଇଁ ଭାରତ ବିରୋଧରେ ଚୀନ୍ ହତିଆର ବ୍ୟବହାର କରିଥିଲା ପାକିସ୍ତାନ ।
ଭାରତ ସହ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର
ଭାରତ ସହ ପାକିସ୍ତାନ ସଂଘର୍ଷ ଲାଗି ରହିଲେ ଚୀନକୁ ରଣନୈତିକ ଲାଭ ହୋଇଥାନ୍ତା । ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚୀନକୁ ଚ୍ୟାଲେଞ୍ଜ ଦେବାକୁ ଭାରତର କ୍ଷମତା ହ୍ରାସ ହୋଇଥାନ୍ତା । ଏହାସହ ଚୀନ୍ ସହ ରହିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରୁ ଭାରତ ନିଜ ସେନା ହଟାଇବା ନେଇ ଚିନ୍ତା କରିଥାନ୍ତା । ଚୀନ୍ ନିଜେ ଯୁଦ୍ଧ ନକରି ଭାରତକୁ ଯୁଦ୍ଧର ଘନଘଟା ମଧ୍ୟରେ ଫସାଇବାକୁ ଚାହୁଁଥିଲା । ଆଉ ସେଥିପାଇଁ ପାକିସ୍ତାନକୁ ସାମନାରେ ରଖି ପରଦା ପଛରୁ ସହଯୋଗ କରିଥିଲା ।
କାହିଁକି କ୍ରେଡିଟ୍ ନେଉଛି ଆମେରିକା ?
ଭାରତ ଓ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ହୋଇଛି । ତେବେ ଏହାର କ୍ରେଡିଟ୍ ନେବାକୁ ଉଦ୍ୟମ କରୁଛି ଆମେରିକା । ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଭାରତ କୌଣସି ମଧ୍ୟସ୍ଥତାକୁ ସ୍ବୀକାର କରିବ ନାହିଁ । ସେନା ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରିବା ପୂର୍ବରୁ ହିଁ ଏକ୍ସରେ ପୋଷ୍ଟ କରି ନିଜ ପିଠି ଥାପୁଡାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ଉଦ୍ୟମ ଯୋଗୁଁ ଭାରତ ଓ ପାକିସ୍ତାନ ଅଶାନ୍ତି କମ୍ କରିବାକୁ ରାଜି ହୋଇଥିବା ପୋଷ୍ଟ କରିଥିଲେ । ଏପରିକି ଟ୍ରମ୍ପଙ୍କ ପକ୍ଷରୁ କାଶ୍ମୀର ନେଇ ମଧ୍ୟସ୍ଥତା କରିବାକୁ ମଧ୍ୟ ଅଫର ଦିଆଯାଇଥିଲା । ତେବେ ଭାରତ ଏହାକୁ ଏଡାଇ ଦେଇଥିଲା । ଏହାସହ କାଶ୍ମୀର ଆଲୋଚନାର ପ୍ରସଙ୍ଗ ନୁହେଁ, ପାକିସ୍ତାନ ପିଓକେ ଫେରାଇବାକୁ ଚାହିଁଲେ ଆଲୋଚନା ହୋଇପାରିବ ବୋଲି ସ୍ପଷ୍ଟ କହିଛି ଭାରତ ।
Comments are closed.