Latest Odisha News

BREAKING NEWS

ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରିଲେ ହରିଣ

ଭୁବନେଶ୍ୱର: କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଊଦ୍ଧ୍ୱର୍ ହରିଣ ଥିଲେ । ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ସୌନ୍ଦର୍ଯ୍ୟ ଓ ବିଶେଷ ଆକର୍ଷଣ ରହିଥିଲା । ଫନୀ ପ୍ରଳୟଙ୍କରୀ ବାତ୍ୟା ପରେ ହରିଣମାନଙ୍କର କୌଣସି ଖୋଜଖବର ନଥିଲା । ଏଥି ପାଇଁ ବନବିଭାଗ ଆଶା ଆଶଙ୍କା ମଧ୍ୟରେ ଥିଲା । ଖୁସିର କଥା ବାତ୍ୟା ଛାଡ଼ିବାର ୪/୫ ଦିନ ପରେ ହରିଣଗୁଡ଼ିକ ଗୋଟିଏ ଗୋଟିଏ ହୋଇ ତାଙ୍କର ପୂର୍ବସ୍ଥାନକୁ ଫେରି ଆସୁଛନ୍ତି ।

ଅଭୟାରଣ୍ୟ ମଧ୍ୟରେ କୌଣସି ହରିଣଙ୍କର ମୃତାହତ ଖବର ନଜରକୁ ମଧ୍ୟ ଆସିନଥିଲା । ବନବିଭାଗ ଚିନ୍ତିତ ଥିଲା ହରିଣମାନେ ଗଲେ କୁଆଡ଼େ । ଏଥି ପାଇଁ ଟିମ୍‌ ଗଠନ କରି ନିକଟବର୍ତ୍ତୀ ଜଙ୍ଗଲରେ ଖୋଜା ଚାଲିଥିଲା । କିନ୍ତୁ ହରିଣଙ୍କର ସନ୍ଧାନ ମିଳିନଥିଲା । ଇତି ମଧ୍ୟରେ ବନବିଭାଗ ତରଫରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ଅଭୟାରଣ୍ୟ ମଧ୍ୟରେ ହରିଣ ଠାବ କରାଯାଇଛି ।

ହରିଣମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ପୂର୍ବ ବାସସ୍ଥାନକୁ ଫେରି ଆସିଛନ୍ତି । ଯାହା ବନବିଭାଗ ଏବଂ ବନ୍ୟପ୍ରେମୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଏଥିରୁ ପ୍ରମାଣିତ ହୋଇଛି ଯେ, ପୂର୍ବରୁ କଥିତ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବାର ଅନ୍ତଃର୍ନିହିତ ଶକ୍ତି ରହିଛି ।

Leave A Reply

Your email address will not be published.