Latest Odisha News

BREAKING NEWS

ରାଜ୍ୟରେ ରହିଛି ଭରପୁର ସୁନା ଖଣି

ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୂର ସୁନା ଖଣି । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏବେ ଆହୁରି ୭ଟି ସ୍ଥାନରେ ସୁନା ଖଣି ଥିବା ନେଇ ସୂଚନା ମିଳିଛି । ଓଡିଶାର ଦେବଗଡ଼, କେନ୍ଦୁଝର ପରେ ଏବେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ନେଇ ବିଧାନସଭାରେ ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଆଜି ବିଧାନସଭା ପ୍ରଶ୍ନକାଳ ସମୟରେ ବିଧାୟକ ଚକ୍ରମଣି କହଁର ରାଜ୍ୟର କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର ସନ୍ଧାନ ମିଳିଛି ଆଉ କେଉଁ କେଉଁ ନୂଆ ଖଣି କେଉଁ କେଉଁ ସ୍ଥାନରେ ଅଛି, ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ପୂର୍ବରୁ ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ଥିବା ନେଇ ସନ୍ଧାନ ମିଳିଥିଲା । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର, ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଏବେ ଅନୁସନ୍ଧାନ ଚାଲିଛି ।

ଏହାଛଡା ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ ଅଞ୍ଚଳରେ ମଧ୍ୟ ସୁନାଖଣି ଥିବା ନେଇ ଜଣାପଡିଛି । ସେ ନେଇ ଅଧିକ ଅନୁସନ୍ଧାନ ଚାଲିଛି । ଏହାବ୍ୟତୀତ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ନେଇ ଜଣାପଡିଛି ।

Comments are closed.