ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ ମଞ୍ଚ ପକ୍ଷରୁ ଗେଟ୍ ଆଗରେ ଧାରଣା ଦିଆଯାଇଛି ।
ବିନା ଦୋଷରେ କାର୍ଯ୍ୟରୁ ବଞ୍ଚିତ ୨୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦେବା, କଲେଜ ପରିଚାଳନା କମିଟିରୁ ବିନା ଦୋଷରେ ନିଲମ୍ବିତ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବା, ତୁରନ୍ତ ବକେୟା ଦରମା ଦେବା ଇତ୍ୟାଦି ଦାବି ନେଇ ଧାରଣାରେ ବସିଛି ମଞ୍ଚ । ଏପରିକି ସୋସାଇଟି ଅଧିନରେ ଥିବା ଏହି କଲେଜର ସୋସାଇଟିକୁ ଭାଙ୍ଗିବାକୁ ମଧ୍ୟ ଦାବି ହୋଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ପରିଚାଳନା କମିଟିରୁ ତୁରନ୍ତ ବହିସ୍କୃତ କରିବା ସହ ପୂର୍ବରୁ ବରପଦା ଇଞ୍ଜିନିୟର କଲେଜରେ ହୋଇଥିବା ମହା ଦୁର୍ନୀତିରେ ଲିପ୍ତ ଥିବା ସମସ୍ତ ଅସାଧୁ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି l
ଆଜି କଲେଜ ସମ୍ମୁଖରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କ ବିରୋଧରେ ପୋଷ୍ଟର ମାରିଛନ୍ତି । ଏହାକୁ ବିରୋଧ କରିଥିଲେ କାର୍ଯ୍ୟରତ କର୍ମଚାରୀ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ ମଧ୍ୟ ପୋଲିସ ଗାଡି ଆଗରେ ଆନ୍ଦୋଳନକାରୀ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଛି । ଧାରଣାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
Comments are closed.