Latest Odisha News

ଗମାଙ୍ଗଙ୍କ ପରେ କେସିଆରଙ୍କୁ ଭେଟିଲେ ଜୟରାମ ପାଙ୍ଗୀ

ଭୁବନେଶ୍ୱର: ଆଉ ଜଣେ କୋରାପୁଟର ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ସଭାପତି କେସିଆରଙ୍କୁ ଭେଟିଛନ୍ତି। ପାଙ୍ଗୀ କେସିଆର ସହିତ ତାଙ୍କର ସାକ୍ଷାତ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କେସିଆଙ୍କୁ ଭେଟିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ବିଜେପି ନେତା ଏବଂ ଦଳରେ କୋଣଠେସା ହୋଇରହିଥିବା ସୂଚନା ରହିଛି।

ଦକ୍ଷିଣ ଓଡ଼ିଶା ରାଜନୀତିରେ ଏହି ଦୁଇ ପରିଚିତ ନାଁ ଜଣେ ପରେ ଜଣେ କେସିଆରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏଥିସହ 2024 ପୂର୍ବରୁ ତେଲେଙ୍ଗାନାର ଶାସକ ଦଳ ଓଡ଼ିଶାରେ ପଦ ଚିହ୍ନ ରଖିବାକୁ ଆଗ୍ରହ ଦେଖାଉଥିବା ଆଭାସ ମିଳିଛି। ରାଜ୍ୟ ରାଜନୀତିର ଏହି ଦୁଇ ଆଦିବାସୀ ନେତା ଯଦିଓ ଏବେ ବିଧାୟକ କିମ୍ବା ସାଂସଦ ପଦରେ ନାହାନ୍ତି। ହେଲେ ଆଗାମୀ ଦିନରେ ଏହି ଦୁଇ ନେତାଙ୍କୁ ନେଇ ବିଆରଏସ ନିଜର ଓଡ଼ିଶା ସ୍ୱପ୍ନ ବାବଦରେ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ଯଦିଓ ପାଙ୍ଗୀ କେସିଆରଙ୍କ ଦଳରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଏହି ଦୁଇ ନେତା ଆଗାମୀ ଦିନରେ ଦଳର ମଙ୍ଗ ଧରିବେ ବୋଲି କୁହାଯାଉଛି।

ଜୟରାମ ପାଙ୍ଗୀ ଜନତା ଦଳରୁ ରାଜନୀତିକ କ୍ୟାରିୟର ଆରମ୍ଭ କରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ବିଜେଡିରେ ଯୋଗ ଦେଇ ପାର୍ଟି ଟିକେଟରେ ବିଧାୟକ ତଥା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ତା’ପରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ସେ ଗତ ନିର୍ବାଚନରେ କୋରାପୁଟ ଲୋକସଭା ଆସନରେ ହାରିଥିଲେ।

ଏବେ ପାଙ୍ଗୀ ରାଜନୀତିରୁ ଦୂରେଇ ଯାଇ ‘ଦାଣ୍ଡକାରଣ୍ୟ ପାର୍ବତମାଲା ବିକାଶ ପରିଷଦ’କୁ ନେଇ ସକ୍ରିୟ ରହିଛନ୍ତି। ଜୟରାମ ପାଙ୍ଗୀ ହେଉଛନ୍ତି ଟିକିରି ଇତିଶ୍ରୀ ହତ୍ୟା ମାମଲାରେ ବିବାଦୀୟ ହୋଇପଡିଥିଲେ। ଏହି ସମୟରେ ସେ ବିଜେଡିରେ ଥିଲେ। ପରେ ଦଳ ପରିବର୍ତନ କରି ବିଜେପିରେ ସାମିଲ ହୋଇଥିଲେ। ଇତିଶ୍ରୀ ମାମଲାରେ ସିବିଆଇ ଭୟ ଦେଖାଇ ବିଜେପି ତାଙ୍କୁ ଦଳରେ ସାମିଲ କରାଇଥିଲା ବୋଲି ବିଜେଡି କହିଥିଲା।

ଉଲ୍ଲେଖଯୋଗ୍ୟ, ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ତଥା ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଢିବାକୁ ପ୍ରୟାସ କରୁଛନ୍ତି କେସିଆର। ବିଭିନ୍ନ ରାଜନୈତିକ ଦଳ ଏବଂ ମୋଦୀ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ପ୍ରୟାସ କରୁଛନ୍ତି। ଏହାରି ଭିତରେ ନିଜ ଦଳର ପଦ ଚିହ୍ନକୁ ସାରା ଦେଶରେ ପହଞ୍ଚାଇବାକୁ ଯାଇ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ସେ ଭାରତ ରାଷ୍ଟ୍ର ସମିତିରେ ପରିବର୍ତ୍ତନ କରିଛନ୍ତି।

ଡିସେମ୍ବର 2022 ରେ, ନିର୍ବାଚନ ଆୟୋଗ ତାଙ୍କ ଦଳର ନାମ ପରିବର୍ତ୍ତନକୁ ଅନୁମୋଦନ କରିଥିଲେ। ଏହା ପରେ ଦଳର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆନୁଷ୍ଠାନିକ ଭାବରେ BRSର ଗୋଲାପୀ ରଙ୍ଗର ପତାକା ଉତ୍ତୋଳନ କରିଥିଲେ ଏବଂ ଦିନେ ରେଡ ଫର୍ଟରେ ଗୋଲାପୀ ପତାକା ଉଡ଼ିବ ବୋଲି ସେ ବିଶ୍ୱାସ ରଖିଛନ୍ତି।

 

Comments are closed.