Latest Odisha News

BREAKING NEWS

ଗାନ୍ଧୀଜୟନ୍ତୀ ପରେ…

ଗାନ୍ଧୀ ଜୟନ୍ତୀ ବଡ଼ ଧୁମ୍‌ଧାମ୍‌ରେ ସରିଲା, କେତେ ଯେ ୱେବିନାର ପ୍ରୋଗ୍ରାମ୍ ଆଉ କେତେ କ’ଣ ହେଲା ତା’ର ହିସାବ ରହିଲା ନାହିଁ । ଗାନ୍ଧିଜୀଙ୍କ ତିନି ମାଙ୍କଡ଼ କଥା ସମସ୍ତେ କହିଲେ, ତିନି ମାଙ୍କଡ଼ଙ୍କ କଥା ଆମେ ସମସ୍ତେ ଜାଣିଛେ । ପ୍ରଥମ ମାଙ୍କଡ଼ – ମୁଁ ଖରାପ କଥା କହିବି ନାହିଁ, ଦ୍ୱିତୀୟ ମାଙ୍କଡ଼ – ମୁଁ ଖରାପ କଥା ଦେଖିବି ନାହିଁ, ତୃତୀୟ ମାଙ୍କଡ଼ – ମୁଁ ଖରାପ କଥା ଶୁଣିବି ନାହିଁ । ଏହାର ଅର୍ଥ ବୁଝିବାକୁ ବର୍ଷବର୍ଷ ଲାଗିଗଲାଣି ଆମକୁ, ତଥାପି ଆମେ ବୁଝିପାରୁନେ ଏହି ତିନି ମାଙ୍କଡଙ୍କର ଗୁଢତତ୍ତ୍ୱ ।

ଖଦି ପିନ୍ଧି, ଧୋବ ଫରଫର ଲୁଗା ଭିତରେ ସତରେ ଆମେ ଏଇ ତିନି ମାଙ୍କଡ଼ଙ୍କ ପ୍ରକୃତ ତତ୍ତ୍ୱକୁ ଲୁଚେଇ ଦେଇଛେ । ଗାନ୍ଧିଜୀଙ୍କର ତ ଅନେକ କଥା ଥିଲା, ସେଇ କଥା ଭିତରୁ ଗୋଟିଏ କଥାର ମୂଲ୍ୟ ଆମେ ଏବେ ବି ବୁଝିପାରିଛେ କି ? ତା’ହେଲେ ଉତ୍ତର ଆସିବ ନାହିଁ । ଆମେ ଜମାବି ବୁଝିପାରିନେ ଆଜି ଏତେ ବର୍ଷ ଭିତରେ । ଯଦି ବୁଝିଛେ ତା’ହେଲେ ଓଲଟା ଅର୍ଥକୁ ବୁଝିଛେ, ତାହାହେଲା – ପ୍ରଥମ – ଭୁଲ୍ କାମ କରିବି, ଦ୍ୱିତୀୟ – ଭୁଲ୍ କଥା ଶୁଣିବି, ତୃତୀୟ -ଭୁଲ୍ କଥା ଦେଖିବି । ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଯାହା କହିଥିଲେ ଆମେ ଠିକ୍ ତାର ଓଲଟା ବୁଝି ତାକୁ ଆମର ଦୈନନ୍ଦିନ କାମରେ ଲଗଉଛି । ସତରେ ଭାରି ଦୁଃଖ ଲାଗୁଛି, ବିବ୍ରତ ବି କରୁଛି ।

ଗାନ୍ଧିଜୀ ଦେଖିଥିବା ସ୍ୱପ୍ନ ‘ଝିଅଟିଏ ରାତି ଅଧରେ ଏକା ଗଲେ ଦେଶ ସ୍ୱାଧୀନ ହେଲା ବୋଲି ସମସ୍ତେ ଭାବିବା’ ଯାହା କହିଥିଲେ ତାକୁ ଆମେ କେମିତି ସତରେ ଗୋଡ଼ରେ ଆଡ଼େଇ ଦେଇଛେ ତାହାର ନିଚ୍ଛକ ଉଦାହରଣ ଆମ ଆଖି ଆଗରେ ଦେଖୁଛେ । ଖରାପ କାମ କରିବି, ଖରାପ କଥା ଦେଖିବି ଆଉ ଖରାପ କଥା ଶୁଣିବି । ଏହି ତିନୋଟି କଥା ଉପରେ ଆମର ସଭ୍ୟ ସମାଜ ଏବେ ତିଷ୍ଠିଛି । ଭଲ କଥା କହିବା ପାଇଁ ନା’ କାହାର ଦମ୍ ଅଛି, ଭଲ କଥା ଶୁଣିବା ପାଇଁ ନା’ କାହାର ଧୈର୍ଯ୍ୟ ଅଛି । ନିର୍ଭୟା ପରେ ନିର୍ଭୟା ଘଟଣା ଘଟିଯାଉଛି । କିଛିଦିନର ହୋ ହଲ୍ଲା ତା’ପରେ ସବୁ ଚୁପ୍ ।

ଆଉ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ଲାଗୁଛି, ଆମ ଦେଶର ପ୍ରତ୍ୟେକ ରାଜ୍ୟର ସରକାରଙ୍କ କାର୍ଯ୍ୟକଳାପକୁ ନେଇ କିଛି ଘଟଣାମାନ । ଆଉ ଯଦି ଦେଖିବା ପ୍ରତ୍ୟେକ ରାଜ୍ୟର ସରକାର ମାନେ ହିଁ ଗାନ୍ଧିଜୀଙ୍କର ଏହି ତିନିମାଙ୍କଡ଼ଙ୍କ କଥାକୁ ତାତ୍ସଲ୍ୟ କରୁଛନ୍ତି । ତାହେଲେ ସାଧାରଣ ଜନତା କେମିତି ବୁଝିପାରିବେ ଏଇ ତିନି ମାଙ୍କଡ଼ର ଗୁଢ ତତ୍ତ୍ୱକୁ । ଏପଟେ ଗାନ୍ଧିଜୀଙ୍କ କଥାକୁ ତାତ୍ସଲ୍ୟ କରିବୁ, ସେପଟେ ଗାନ୍ଧିଜୀଙ୍କ ଫଟୋରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଦେବୁ । ଏହି ପ୍ରକାର ମାନସିକତାରେ ବିଶ୍ୱାସ ରଖନ୍ତି ଆମର ରାଜନୈତିକ ଦଳମାନେ । ସବୁ କଥାରେ ମହିଳାଙ୍କୁ ନେଇ ରାଜନୀତି କିନ୍ତୁ ଅସଲ ସମୟ ଯେତେବେଳେ ଆସେ, ସେତେବେଳେ ଏଇ ନିର୍ଭୟାଙ୍କ ଭଳି ସମସ୍ତଙ୍କୁ ଅସମ୍ମାନ କରାଯାଏ । ଏବେ ପ୍ରଶ୍ନ ଉଠୁଛି ଭୁଲ୍ କଥାକୁ ସମର୍ଥନ କରି ଦୁଷ୍କର୍ମକାରୀମାନଙ୍କୁ ସୁରକ୍ଷା ଦେବା କ’ଣ ଗାନ୍ଧିଜୀଙ୍କ ଆଦର୍ଶରେ ଥିଲା ? କେତେ ନିର୍ଲଜ ହୋଇଯାଇଛି ଆମ ସଭ୍ୟ ସମାଜ, ନିଜର ଦୋଷ ଆଉ ଦୁବଳତାକୁ ଲୁଚେଇବାକୁ ଅନେକ ନିର୍ଭୟା ସୃଷ୍ଟି କରୁଛି ।

ସତରେ କ’ଣ ଭୁଲ୍ ଥିଲା ସେ ଝିଅର । ସମୟ ଆସିଛି ସମସ୍ତେ ସ୍ୱର ଉତ୍ତୋଳନ କରିବାର । ଆମେ ଯଦି ଚୁପ୍ ହୋଇଯିବା ତା’ହେଲେ ଏଇ ପ୍ରକାର ମାନସିକତାର ସ୍ଥିତି ଆଉ ବିଗିଡ଼ିବାକୁ ଲାଗିବ । ଏବେ ଚତୁର୍ଥ ମାଙ୍କଡ଼ର ଆବଶ୍ୟକତା ପଡ଼ିଛି, ଯେ କି ପ୍ରଥମ ତିନି ମାଙ୍କଡ଼ଙ୍କ କଥାକୁ ସାବାଡ଼ କରି ବୁଝେଇ ପାରିବ । ବ୍ୟବସ୍ଥା ଭିତରେ ଚତୁର୍ଥ ମାଙ୍କଡ଼ଙ୍କର ଅଦ୍ଭ୍ୟୁଦୟ ହିଁ ଏହି ସମସ୍ୟାର ରାସ୍ତା ଖୋଲିପାରିବ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର । ଝିଅମାନଙ୍କ ସୁରକ୍ଷା ପାଇଁ ଚତୁର୍ଥ ମାଙ୍କଡ଼ଟିର ଉତ୍ପତ୍ତି କରିପାରିଲେ ଗାନ୍ଧିଜୀଙ୍କ ପ୍ରତି ବାସ୍ତବରେ ଶ୍ରଦ୍ଧାଞ୍ଜଳି ହେବ ।

(କ୍ୱାଟର ନମ୍ବର-୧୧/୪, ୟୁନିଟ୍‌-୪, ଭୁବନେଶ୍ୱର  ମୋ-୯୯୩୭୭୩୪୪୬୧)

Leave A Reply

Your email address will not be published.