Latest Odisha News

BREAKING NEWS

ଗୁପ୍ତକ୍ଷେତ୍ର ସଖୀବଟ: ଏହି କ୍ଷେତ୍ରରେ ୧୨ଦିନ କାଳ ଲୁଚିଥିଲେ ଶ୍ରୀବଳଦେବଜୀଉ..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟିରେ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ ଏହା ଏକ ଧର୍ମପୀଠ ଭାବେ ପରିଚିତ । ଇଚ୍ଛାପୁରରେ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଶ୍ରୀବଳଦେବଜୀଉ ସଖୀବଟଠାରେ ୯ ବର୍ଷ କାଳ ପୂଜା ପାଇଥିଲେ ।  ଏହି କ୍ଷେତ୍ରକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥାଏ  । ଜଳଘେରା ଟାପୁଟିରେ ଏକ ବିଶାଳ ବଟବୃକ୍ଷ ସୃଷ୍ଟି ହୋଇଥିଲା । ୧.୩ ଏକର ସ୍ଥାନରେ ବ୍ୟାପ୍ତ ଏହି ଗଛଟିକୁ ୬ଶହ ମୁଖ୍ୟ ଓହଳ ଓ ଶାଖା ଓହଳ ମାଟିରେ ଶକ୍ତଭାବେ ଧରି ରଖିଛନ୍ତି । ଗୁପ୍ତକ୍ଷେତ୍ରର ନାମକରଣ ପ୍ରସଙ୍ଗରୁ ଜଣାଯାଏ ଯେ ମୋଗଲ ରାଜତ୍ୱ କାଳରେ ଯବନମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଦ୍ଧ ବଳଦେବଜୀଉଙ୍କୁ ୧୬୫୮ରୁ ୧୬୭୦ ଦୀର୍ଘ ୧୨ବର୍ଷ କାଳ ଏହିଠାରେ ଗୁପ୍ତ ଭାବରେ ରଖାଯାଇଥିଲା । ତେଣୁ ଏହି ସ୍ଥାନକୁ ଗୁପ୍ତପୀଠ ନାମରେ ନାମିତ କରାଯାଇଛି ।

ଲୋକକଥା ଅନୁସାରେ ନିକଟସ୍ଥ ପାଟଣା ଗ୍ରାମର ସଖୀ ନାମକ କନ୍ୟା ତେଲିପାଟଣା ଗ୍ରାମରେ ବିବାହ କରିଥିଲା । କୁମାରୀ ଜୀବନରୁ କନ୍ୟାଟି ସେଠାରେ ବଟବୃକ୍ଷକୁ ପୂଜା କରୁଥିଲା । ଦେବଅଂଶୀ କନ୍ୟାଟି ଶାଶୁଘରୁ ରାତିରେ ଏହି ବିଶାଳ ଗଛ ନିକଟକୁ ଆସି ପୂଜା କରି ରାତି ପାହିବା ପୂର୍ବରୁ ଫେରିଯାଉଥିଲା । କିଛିଦିନ ଏପରି କରନ୍ତେ ଦିନେ ତା’ସ୍ୱାମୀର ନିଦ ଭାଙ୍ଗିଯିବାରୁ ପାଖରେ ସଖୀକୁ ନ ପାଇ ସନ୍ଦେହ କରିଥିଲା । ସ୍ୱାମୀର ତିରସ୍କାର ଶୁଣି ସତକଥା କହିବାରୁ ତା’ ପ୍ରାଣବାୟୁ ଚାଲିଗଲା । ସ୍ୱାମୀ ସମସ୍ତ ବିଷୟ ଲୋକଙ୍କୁ କହିବା ସହ ବିଶାଳ ବରଗଛ ତଳେ ପୂଜା ପାଇଥିବା ବଟକୁ ଦେଖିଥିଲେ । ସେହି ଦିନଠାରୁ ସଖୀ ପୂଜା କରୁଥିବା ବଟକୁ ସଖୀବଟ ଭାବରେ ନାମିତ କରାଯାଇଥିଲା । ଏହି ପୀଠର ଇତିହାସ ସହ କେନ୍ଦ୍ରାପଡାର ଇଚ୍ଛାପୁରଠାରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠାର ସଂପର୍କ ରହିଛି ।

କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗର ଶେଷ ବେଳକୁ ଶ୍ରୀବଳଦେବଜୀଉ ତୀର୍ଥ ଭ୍ରମଣକରି ଗୁପ୍ତକ୍ଷେତ୍ର ସଖୀବଟରେ୧୪ ବର୍ଷ କାଳ ଗୋପନରେ ଥିଲେ । ଉକ୍ତ ସ୍ଥାନରେ ଥିବା ବେଳେ ମହାପ୍ରଭୁ ଚାରି ପ୍ରକାରର ଦାନ୍ତ କାଠି ଯଥା ନିମ୍ବ, ସାହାଡ଼ା, ବର ଓ ବେଗୁନିଆ ବ୍ୟବହାର କରୁଥିଲେ । କାଳକ୍ରମେ ବର ଦାନ୍ତ କାଠି ବିଶାଳ ବରଗଛ ପାଲଟି ଯାଇଛି । ଷୋଡଶ ଶତାବ୍ଦୀରେ ମୋଗଲ ଶାସନ ସମୟରେ ସେବକମାନେ ଶ୍ରୀବଳଦେବଜୀଉଙ୍କୁ ଗୁପ୍ତକ୍ଷେତ୍ରରେ ୧୨ ବର୍ଷ କାଳ ଲୁଚାଇ ରଖିଥିଲେ । ଏକ ସମୟରେ ୧୪ ଦିନ କାଳ ଲଗାଣ ଝଡ଼ିବର୍ଷା ହେବାରୁ ପୂଜକ ସେଠାରେ ଥିବା ଗୁମ୍ପାରୁ ବାହାରି ପାରିଲେ ନାହିଁ ଓ ନୀତି ଆବଶ୍ୟକ ସାମଗ୍ରି ଆଣିପାରିଲେ ନାହିଁ । ଭୋକ ଉପାସରେ ଠାକୁରଙ୍କୁ ଗାଳି କରିବାରୁ ଜଣେ କଳା ଲୋକ ଓ ଜଣେ ଧଳା ଲୋକ ଗୋଟିଏ ବଡ଼ ବେତୁଲିରେ ପାଟକପୁରା କଦଳୀ ସହିତ ରସାବଳି ଆଣି ପହଞ୍ଚି ଠାକୁରଙ୍କ ନୀତି କରିବାକୁ କହିଲେ । ଠାକୁରଙ୍କ ନୀତି ସାରି ଫେରି ଦେଖନ୍ତି ଯୁବକଦ୍ୱୟ ସେଠାରେ ନାହାନ୍ତି ।

କିଛି ଅନିତି ଓ ଅଘଟଣ ଘଟିଲେ ସର୍ପ ରୁପରେ ମହାପ୍ରଭୁ ବାହାରିବା କଥା କହନ୍ତି ସ୍ଥାନୀୟ ଲୋକେ । ତେଣୁ ଖୋଲା ପଡ଼ିଥିବା ଏହି ସ୍ଥାନରୁ କୌଣସି ଜିନିଶ ଚୋରି ନ ଯିବାର କଥିତ ଅଛି । କାଳକ୍ରମେ ଶ୍ରୀବଳଦେବଜୀଉଙ୍କ ସ୍ୱପ୍ନାଦେଶ ବଡ଼ପଣ୍ଡା କେଶବ ଚନ୍ଦ୍ର ପତିଙ୍କୁ ହେବାରୁ ଗୁପ୍ତ କ୍ଷେତ୍ର ସଖୀବଟରେ ବିଗ୍ରହ ପ୍ରତିଷ୍ଠା ହୋଇ ରୀତିନୀତି ଓ ପୂଜା ପର୍ବାଣି ଅନୁଷ୍ଠିତ ହେଉ ଅଛି ।

Leave A Reply

Your email address will not be published.