Latest Odisha News

BREAKING NEWS

ଟିବି ହାରିବ, ଦେଶ ଜିତିବ

ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଅନୁଜ ଦାସଙ୍କ ଆଲେଖ୍ୟ

ସମୟ ବଦଳିଛି ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ରହିଛି । କେଉଁଠି ରୋଗୀ ଗାଁରୁ ବାସନ୍ଦ ହେଉଛି ତ ଆଉ କେଉଁଠି ଅଲୋଡା ପାଲଟିଯାଉଛି । ସରକାରୀ ସ୍ତରରେ ସଚେତନ କରାଗଲେବି ଏବେବି ଏହାକୁ ମହାମାରି ଭାବିନେଇଛନ୍ତି ଅନେକ । କିନ୍ତୁ ଏହାରି ବିରୋଧରେ ଲଢେଇ ଜାରି ରଖିଛନ୍ତି ଅନେକ ଯୋଦ୍ଧା । ଏଭଳି କିଛି ଯୋଦ୍ଧାଙ୍କ କାହାଣୀ ଦେଉଛି ବଞ୍ଚିବାର ଆଶା ।

ବି ଚିନ୍ମୟୀ 

ଘୁଙ୍ଗୁରର ଛମ ଛମ ଶବ୍ଦରେ ତା ପାଦ ଯେମିତି ଆପେ ଆପେ ନାଚି ଉଠେ । ଆଉ ହୃଦୟର ସ୍ପନ୍ଦନ କହେ ଶାସ୍ତ୍ରୀୟ ସଙ୍ଗୀତର ସ୍ୱର । ମଞ୍ଚ ଦେଖିଲେ ନୃତ୍ୟ ପରିବେଷଣ କରିବାକୁ ବିଚଳିତ ହୁଏ ତା ମନ । ମାତ୍ର ୨୪ ବର୍ଷ ବୟସର ବ୍ରହ୍ମପୁରର ଚିନ୍ମୟୀ ଓଡ଼ିଶୀ, ଭରତନାଟ୍ୟମ ଓ କୁଚିପୁଡିରେ ବେଶ ପାରଙ୍ଗମ । ସବୁଥର ଭଳି ସେଦିନ ବି ଆନ୍ଧ୍ରପ୍ରଦେଶର ଗୋଟିଏ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ଚିନ୍ମୟୀ । ସବୁ ଠିକଠାକ ଚାଲିଥିଲା , କିନ୍ତୁ ଘରକୁ ଫେରିଲା ପରେ ହଠାତ ଅସୁସ୍ଥ ହୋଇପଡିଲେ ଚିନ୍ମୟୀ । ଦିନ ପରେ ଦିନ ବିତି ଚାଲିଲା କିନ୍ତୁ ଜ୍ୱରରେ ପଡିଗଲେ ଚିନ୍ମୟୀ । ବ୍ରହ୍ମପୁର ଡାକ୍ତରଖାନାରେ ଏକ ସପ୍ତାହ ଭର୍ତ୍ତି ହେଲେ , କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିଲାନି । ସପ୍ତାହ ପରେ ଭୁବନେଶ୍ୱରସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଲେ । ଧିରେ ଧିରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା । ବାମ ଗୋଡ ଓ ବାମ ହାତ ଅକାମି ହୋଇଗଲା । ସବୁ ପରୀକ୍ଷା ପରେ ଜଣାପଡିଲା ଯେ , ଚିନ୍ମୟୀ ମସ୍ତିଷ୍କ ଯକ୍ଷ୍ମାରେ ଆକ୍ରାନ୍ତ । କିଛି ସମୟ ପାଇଁ ସବୁକିଛି ଅନ୍ଧାର ଦିଶିଲା । ପାଦ ତଳୁ ମାଟି ଖସିଗଲା । ସତେ ଯେମିତି ଏଇଠି ହିଁ ସରିଯିବ ଜୀବନ । ମୃତ୍ୟୁ ଓ ଜୀବନ ଭିତରେ କେବଳ ଯନ୍ତ୍ରଣା ହିଁ ଥିଲା । ଯକ୍ଷ୍ମା କବଳରୁ ମୁକ୍ତି ପାଇବା ପାଇଁ ୧୮ ମାସ ଔଷଧ ଖାଇଲେ । ଶଯ୍ୟାଶାୟୀ ହୋଇ ଜୀବନ ଓ ମୃତ୍ୟୁ ସହ କରୁଥିଲେ ଲଢେଇ । ପ୍ରତିକୂଳ ପରିସ୍ଥିତିରେ ଟିବି ଯନ୍ତ୍ରଣା ସହ ବଞ୍ଚୁଥିବା ଚିନ୍ମୟୀଙ୍କ ଜୀବନରେ ଆସିଲା ଆଶାର କିରଣ । ଭାରତରୁ ଟିବିକୁ ମୁକ୍ତ କରିବା ପାଇଁ କାମ କରୁଥିବା “ରିଚ” ଅନୁଷ୍ଠାନ ସହ ଚିନ୍ମୟୀଙ୍କ ସମ୍ପର୍କ ଯୋଡିହେଲା । ନିଜ ଅଞ୍ଚଳରେ ଯକ୍ଷ୍ମା ନିରାକରଣ ପାଇଁ କାମ କରିବାର ସୁଯୋଗ ପାଇଲେ । ଚାଲିବା ମୁସ୍କିଲ ଥିଲା ତଥାପି ଯକ୍ଷ୍ମା ରୋଗୀଙ୍କ ସାହାରା ହେବା ପାଇଁ ଆଗେଇ ଚାଲିଲେ ଏହି ରାସ୍ତାରେ । ଗାଁ ଗାଁ ବୁଲି ଟିବି ସଚେତନତା କରିବାରେ ସମୟ ବିତାଉଛନ୍ତି ଚିନ୍ମୟୀ । ୬ ମାସ ମଧ୍ୟରେ ୭୫ ଟିବି ରୋଗୀଙ୍କୁ ଭେଟି ବଞ୍ଚିବାର ମନ୍ତ୍ର ଦେଇସାରିଛନ୍ତି ।

 

ସହରରୁ ଗାଁ ଯାଏଁ ଟିବି ମୁକ୍ତିର ଶୋଭାଯାତ୍ରା କରିବା ସହ ଶିକ୍ଷାନୁଷ୍ଠାନରେ ଚଲାଇଛନ୍ତି ସଚେତନତା କାର୍ଯ୍ୟକ୍ରମ । ଆଉ ଏହି ଯାତ୍ରାରେ ତାଙ୍କୁ ସାହାସ ଯୋଗାଇ ଚାଲିଛନ୍ତି ତାଙ୍କ ବାପା । ବାପାଙ୍କ ସମେତ ଅନ୍ୟ ସମ୍ପର୍କୀୟ ବି ସଙ୍ଗୀତ ସହ ଜଡିତ । ସଙ୍ଗୀତର ଭାବ ଓ ଆବେଗକୁ ବୁଝିଛନ୍ତି ପରିବାର ଲୋକେ । ମଞ୍ଚରେ ନୃତ୍ୟ ପରିବେଷଣ କରି ନିଜେ ଆନନ୍ଦ ପାଇବା ସହ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ପ୍ରଚାର ପ୍ରସାର କରୁଥିଲେ ଚିନ୍ମୟୀ । କିନ୍ତୁ ଏବେ ସାଥ୍‌ ଦେଉନାହିଁ ଶରୀର । ଏହି ଅବସ୍ଥା ସହିନପାରି ଆଖିରୁ ଆପେ ଆପେ ଝରିପଡେ ଲୁହ । କିନ୍ତୁ ଅନ୍ୟଙ୍କ ଚେହରାରେ ହସ ଫୁଟାଇବା ପାଇଁ ନିଜକୁ ସମର୍ପି ଦେଇଛନ୍ତି ଚିନ୍ମୟୀ । ଆଗଭଳି ପୁଣି ମଞ୍ଚରେ ନୃତ୍ୟ ପରିବେଷଣର ସମୟକୁ ଚାହିଁ ବସିଛନ୍ତି । ପାଦରେ ଘୁଙ୍ଗୁର ଲଗାଇ ନାଚିବାକୁ ବିଚଳିତ ହେଲେଣି ଚିନ୍ମୟୀ । ତେବେ ଜୀବନ ଶେଷ ନିଶ୍ୱାସ ଚାଲୁଥିବା ଯାଏ ଟିବି ରୋଗୀଙ୍କ ପାଇଁ କାମ କରିବାର ସଂକଳ୍ପ ନେଇଛନ୍ତି ଚିନ୍ମୟୀ ।

 

 

ଶେଖ ସୈକ ଅଲ୍ଲୀ 

ଯକ୍ଷ୍ମା ହେଲେ ସାଧାରଣ ଲୋକଙ୍କ ମନରେ ଭୟ ଜାତ ହୋଇଯାଏ । ଆମେ ଯେତେ ଉନ୍ନତ ହେଲେ ବି ଏବେବି ଅନେକାଂଶରେ ଯକ୍ଷ୍ମା ବା ଟିବିକୁ ନେଇ ଛୁଆଁ ଅଛୁଆଁ ଭଳି ଭେଦଭାବ ରହିଛି । କେତେବେଳେ ସମାଜ ବାସନ୍ଦ କରିଦେଉଛି ତ ଆଉ କେତେବେଳେ ପରିବାର ବା ସମ୍ପର୍କୀୟ ଲୋକେ ସବୁ ସମ୍ପର୍କ ତୁଟାଇ ଦେଉଛନ୍ତି । ଏହାରି ବିରୋଧରେ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜଗତସିଂହପୁରର ଶେଖ ସୈକ ଅଲ୍ଲୀ । ପ୍ରଥମେ ମଦ୍ରାସାରୁ ଆରମ୍ଭ ହେଲା ସୈକ ଅଲ୍ଲୀଙ୍କ ଯାତ୍ରା । ସେ ଭଲ ଭାବେ ବୁଝିଛନ୍ତି ଯଦି ଲୋକଙ୍କୁ ଧାର୍ମିକ ଅନଷ୍ଠାନ ଜରିଆରେ ବୁଝାଯାଏ ତେବେ ଲୋକେ ସବୁ କଥାକୁ ବିଶ୍ୱାସ କରିବା ସହ ଗ୍ରହଣ ବି କରିବେ । ଘରୋଇ ବିଦ୍ୟାଳୟରେ ପାଠ ପଢାଇବା ସହ କୋଚିଂ ସେଣ୍ଟରରେ ପାଠ ପଢାଉଛନ୍ତି ସୈକ ଅଲ୍ଲୀ । ଟିକେ ଫୁରସତ ପାଇଗଲେ କେତେବେଳେ କଲେଜ ତ ଆଉ କେତେବେଳେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଭେଟି ଯକ୍ଷ୍ମା ସମ୍ପର୍କରେ ସଚେତନତା କରୁଛନ୍ତି । କେବଳ ଏତିକି ନୁହଁ କ୍ଷକ୍ଷ୍ମାରେ ଆକ୍ରାନ୍ତ ଥିବା ଲୋକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି । ଅଙ୍ଗନଓ୍ଵାଡି ଦିଦିଙ୍କଠାରୁ ଔଷଧ ଆଣି ନିଜେ ଦାୟିତ୍ୱ ନେଇ ନିୟମିତ ରୋଗୀଙ୍କୁ ଖୁଆଉଛନ୍ତି ଔଷଧ । ସରକାରୀ ଆଥିର୍କ ସହାୟତା ସମ୍ପର୍କରେ ଅନେକ ଅବଗତ ନଥିବାବେଳେ ଏନେଇ ଲୋକଙ୍କୁ ଜଣାଇବାର ଦାୟିତ୍ୱ ବି ନେଇଛନ୍ତି ସୈକ ଅଲ୍ଲୀ । ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ସେ । ସେଥିପାଇଁ ତ ସେ ଜାଣିଛନ୍ତି ଯକ୍ଷ୍ମାର ଯନ୍ତ୍ରଣା ।

ଜଗସିଂହପୁର ଜିଲ୍ଲାର ଶେଖ ସୈକ ଅଲ୍ଲୀ ମୁମ୍ବାଇରେ ଏକ ପ୍ରାଇଭେଟ କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ହଠାତ ୨୦୧୪ରେ ଅସୁସ୍ଥ ହୋଇପଡିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଲା ଯେ ସେ ଫୁସଫୁସ ଯକ୍ଷ୍ମାରେ ଆକ୍ରାନ୍ତ । ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଖାଇଲେ । କିଛି ଦିନ ପରେ ମୁମ୍ବାଇରୁ ବଦଳି ହୋଇ ହାଇଦ୍ରାବାଦ ଆସିଲେ । ଔଷଧ ଖାଇବାରେ ବ୍ୟତିକ୍ରମ ହେଲା । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା । ଶେଷରେ ଓଡିଶା ଫେରିଲେ । ସୈକଙ୍କର ଅବସ୍ଥା ଦେଖି ଡାକ୍ତର ବି ହାତ ଟେକିଦେଲେ । ବଞ୍ଚିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସରକାରୀ ଡାକ୍ତର କହିଲେ । ଯଦି ଟଙ୍କା ଖର୍ଚ୍ଚ ନକଲ ତେବେ ମରିଯିବ ବୋଲି ଡାକ୍ତର କହିଲେ । ଏହି କଥା ଶୁଣି ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ବିଳମ୍ବରେ ହେଉ ପଛେ ଭଲ ଡାକ୍ତରଙ୍କ ପରାମର୍ଶ ପାଇବା ପରେ ଚିକିତ୍ସିତ ହେଲେ । ଦେଢ ବର୍ଷ ଚାଲିଲା ଚିକିତ୍ସା । ଆଉ ଏଭଳି ସମୟରେ ସବୁ ପରିସ୍ଥିତିକୁ ଖୁସି ଖୁସି ସହ ବିତାଇବା ପାଇଁ ସାହାସ ଯୋଗାଇଲେ ତାଙ୍କ ସ୍ତ୍ରୀ । ସୁସ୍ଥ ହେଲା ପରେ ଯକ୍ଷ୍ମା ରୋଗୀଙ୍କ ସେବାରେ ଲାଗିପଡିଛନ୍ତି ସୈକ । ଜୀବନ ଓ ମୃତ୍ୟୁର ଯୁଦ୍ଧରେ ଏଦୁହେଁ ଝୁଣ୍ଟିଛନ୍ତି ସତ କିନ୍ତୁ ହାରି ନାହାନ୍ତି । ପ୍ରତିକୂଳ ପରିସ୍ଥିତିରେବି ଯୋଦ୍ଧା ହୋଇ ମୃତ୍ୟୁକୁ ପରାସ୍ତ କରିଛନ୍ତି । ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସଂକଳ୍ପ ନେଇଛନ୍ତି ଏହି ଯୋଦ୍ଧା ।

କେନ୍ଦୁଝର
୮୨୪୯୨୩୦୬୭୧

Leave A Reply

Your email address will not be published.