Latest Odisha News

BREAKING NEWS

‘କୋଟିଆ’ ଦୁଃଖ ଆଣିଦେଲା ଗୋ ବ୍ୟାକ ନାରା !

ଭୁବନେଶ୍ୱର: କୋଟିଆରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ନାରା ପରେ କୋଟିଆକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନି। ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ। ଏପରିକି ଆନ୍ଧ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମାଲୋଚନା କରିଥିଲା।

ଏ ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଚାଲିବା ପରେ ଏବେ ଆନ୍ଧ୍ର ପ୍ରତିକ୍ରିୟାଶୀଳ ହୋଇଥିବା ଦେଖାଯାଇଛି। କୋଟିଆ ନେରେଡିବାଲସାଠାରେ ଥିବା ଏକ ଆବାସିକ ବିଦ୍ୟାଳୟର ବିଜୁଳି ସଂଯୋଗ କାଟି ଦେଇଛି ଆନ୍ଧ୍ରପ୍ରଦେଶ। ବିଜୁଳି ସଂଯୋଗ କାଟିବା ପରେ ଖରା ଗରମରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ସ୍କୁଲରେ ସୋଲାର ସିଷ୍ଟମ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ଠିକ ଭାବେ କାମ କରୁ ନ ଥିବା ଜଣାପଡିଛି। କୋଟିଆ ଅଞ୍ଚଳରେ ଏହି ଆବାସିକ ବିଦ୍ୟାଳୟଟି ସ୍ଥାପନ କରାଯାଇଥିବାବେଳେ ସେଠାରେ ପ୍ରାୟ ୬୦ ରୁ ଅଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ସହ ପାଠ ପଢୁଛନ୍ତି।

ସ୍କୁଲରେ ଆନ୍ଧ୍ରର ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ବିବାଦ ପରେ ଏହାକୁ ବିଚ୍ଛିନ୍ନ କରାଯାଇଛି। ଏପରିକି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଥିତିକୁ ଦେଖି ଆବାସିକ ବିଦ୍ୟାଳୟକୁ ନିଜସ୍ୱ ବିଜୁଳି ପ୍ରଦାନ କରିଥିଲେ। ହେଲେ ଆନ୍ଧ୍ରପ୍ରଦେଶ ଏହାକୁ ପୁଣିଥରେ କାଟିଦେବା ସହ ପରିଚାଳନା କମିଟି ସଭାପତିଙ୍କ ଉପରେ ଫାଇନ ଲଗାଇଥିବା ଜଣାପଡିଛି।

କେନ୍ଦ୍ରମନ୍ତ୍ରୀଙ୍କ ନାରା ପରେ ଆନ୍ଧ୍ରର ଏଭଳି କଡା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ କୋଟିଆକୁ ରାଜ୍ୟ ସରକାରଙ୍କ ବହୁ କୋଟିର ଅନୁଦାନ ଓ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଆନ୍ଧ୍ରର ଅନୁପ୍ରବେଶକୁ ସରକାର ବିରୋଧ କରୁଥିବା ବେଳେ ସ୍କୁଲଟିରେ ଆନ୍ଧ୍ର ବିଜୁଳି କାହିଁକି ଲାଗିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।

କୋଟିଆ କିମ୍ବା ସୀମାନ୍ତରେ ବସବାସ କରୁଥିବା ଓଡ଼ିଆଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ସେମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି ଯାହାଦ୍ୱାରା ସେହି ରାଜ୍ୟଗୁଡିକ ଏହାର ଫାଇଦା ନେଉଛନ୍ତି ବୋଲି ଆଲୋଚନା ହେଉଛି।

କୋଟିଆରେ ଆନ୍ଧ୍ର ଲୋକଙ୍କୁ ରାସନ କାର୍ଡ ଦେବା ସହ ରାସ୍ତାଘାଟ ପୋଲ ଆଦି ନିର୍ମାଣ କରୁଛି। ଏପରିକି ବହୁ ପ୍ରସଙ୍ଗରେ ଲୋକେ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି। ତେଣୁ ସାଧାରଣ ଲୋକେ ଆନ୍ଧ୍ରକୁ ବିରୋଧ କରୁନାହାନ୍ତି ବୋଲି କୁହାଯାଉଛି।

ତେଣୁ କେବଳ ରାଜନୈତିକ ଲଢେଇ ନ କରି କିମ୍ବା କୋଟିଆକୁ କେବଳ ଏକ ରାଜନୈତିକ ପ୍ରସଙ୍ଗ ନ କରି କିଭଳି ଲୋକମାନେ ସୁବିଧା ପାଇବେ ସେ ନେଇ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି।

Comments are closed.