Latest Odisha News

BREAKING NEWS

ବଡ଼ ଯୁଦ୍ଧର ଆଶଙ୍କା: ଇରାନର ଆକ୍ରମଣ ପରେ ଆମେରିକା ବି ଇସ୍ରାଏଲକୁ କଲା ସମର୍ଥନ; ଆଲର୍ଟରେ ସାରା ବିଶ୍ୱ

ଜେରୁଜେଲମ: ବଡ଼ ଯୁଦ୍ଧର ଆଶଙ୍କା। ଇରାନ ଇସ୍ରାଏଲ ଉପରେ ବିଳମ୍ବିତ ରାତିରେ ଆକ୍ରମଣ  କରିବା ପରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଛି। ଆଉ ଇସ୍ରାଏଲ ମଧ୍ୟ ଇରାନକୁ କଡା ଜବାବ ଦେବ ବୋଲି କହିଛି। ମଙ୍ଗଳବାର ସନ୍ଧ୍ୟାରେ ‘ଅପରେସନ୍ ଟ୍ରୁ ପ୍ରମିସ୍-୨’ ସମୟରେ ଇରାନ୍ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଚଳିତ ବର୍ଷ ଏପ୍ରିଲ ମାସରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା, ଏହି ଆକ୍ରମଣ ଆହୁରି ବଡ଼ ଓ ସଠିକ ରହିଥିବା ଜଣାାପଡ଼ିଛି। ସାଧାରଣତଃ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଇସ୍ରାଏଲ ସୀମାରେ ପଡ଼ିବା ପୂର୍ବରୁ ନଷ୍ଟ ହୋଇଯାଏ। କିନ୍ତୁ ଏଥର ଇରାନ୍ ଦାବି କରିଛି ଯେ ସେମାନଙ୍କର ୯୦ ପ୍ରତିଶତ କ୍ଷେପଣାସ୍ତ୍ର ସେମାନଙ୍କ ଲକ୍ଷ୍ୟରେ ପହଞ୍ଚିବାରେ ସଫଳ ହୋଇଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହଗରୀ କହିଛନ୍ତି ଯେ ଇରାନ ଇସ୍ରାଏଲ ଉପରକୁ ୧୮୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ଇରାନ ଆକ୍ରମଣ କେନ୍ଦ୍ରୀୟ ଇସ୍ରାଏଲ ଏବଂ ଦକ୍ଷିଣ ଇସ୍ରାଏଲରେ ହୋଇଛି ।

ଆଇଡିଏଫ ମୁଖପାତ୍ର କହିଛନ୍ତି ଯେ ଇରାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଏୟାର ଡିଫେନ୍ସ ଏବଂ ୟୁଏସ ଏୟାର ଡିଫେନ୍ସ ଅଟକାଇଛି ।

ଇସ୍ରାଏଲ ସେନା ବିଳମ୍ବିତ ରାତିରେ ଇରାନର ଆକ୍ରମଣ ସମ୍ପୂର୍ଣ୍ଣ ବୋଲି କହିଥିଲା। କିନ୍ତୁ ସେମାନେ ମୃତାହତଙ୍କ ବିଷୟରେ କୌଣସି ଠୋସ୍ ସୂଚନା ଦେଇନାହାନ୍ତି। ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏ ନେଇ କୌଣସି ବିବୃତି ଦେଇନାହିଁ। ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଏହି ଆକ୍ରମଣରେ ଜଣେ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଥିବା ବେଳେ ଦୁଇ ଜଣ ଇସ୍ରାଏଲୀ ଆହତ ହୋଇଛନ୍ତି।

ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ନଗଣ୍ୟ। ଏହାର ଗୋଟିଏ କାରଣ ହେଉଛି ପ୍ରାୟ ୧ କୋଟି ଇସ୍ରାଏଲବାସୀଙ୍କୁ ସେଠାକାର ସରକାର ବୋମା ଆଶ୍ରୟସ୍ଥଳୀକୁ ପଠାଇଥିଲେ। ଦ୍ୱିତୀୟ ଓ ପ୍ରମୁଖ କାରଣ ହେଉଛି ଏହି ଆକ୍ରମଣରେ ଇସ୍ରାଏଲ ନାଗରିକଙ୍କ ପରିବର୍ତ୍ତେ ସାମରିକ ଘାଟିକୁ ଟାର୍ଗେଟ କରିଛି ଇରାନ । ଇରାନ ମଧ୍ୟ ଏ ନେଇ ଏକ ବିବୃତି ଜାରି କରିଛି।

ଆକ୍ରମଣ ଆରମ୍ଭ ହେବା ପୂର୍ବରୁ ଆମେରିକୀୟ ଅଧିକାରୀମାନେ ଇସ୍ରାଏଲକୁ ଜଣାଇଥିଲେ ଯେ ଇରାନ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ସେବେଠାରୁ ଇସ୍ରାଏଲର ରାଜରାସ୍ତାରେ ଧାଁ ଦୌଡ ଦେଖାଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଲୋକମାନେ ଭୟର ବାତାବରଣରେ ବୋମା ଆଶ୍ରୟସ୍ଥଳୀକୁ ଦୌଡ଼ି ଆସୁଥିବା ଦେଖିବାକୁ ମିଳିଛି।

ଇରାନ ସମ୍ପର୍କରେ ଆଇଆରଜିସି ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ତିନୋଟି ଏୟାରବେସ୍ ନେଭାଟିମ୍, ହାଟେମରିମ୍ ଏବଂ ତେଲ ନୋଫ୍ କୁ ସଫଳତାର ସହ ଟାର୍ଗେଟ କରାଯାଇଛି। ଏହି ବାୟୁସେନା ଘାଟିରେ ପାର୍କିଂ ହୋଇଥିବା ପ୍ରାୟ ୨୦ଟି ଲଢୁଆ ବିମାନ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ବାୟୁସେନା ଘାଟିରେ ଇସ୍ରାଏଲର ଏଫ-୩୫ ଲଢୁଆ ବିମାନ ଏବଂ ଏଫ-୧୫ ଲଢୁଆ ବିମାନ ପାର୍କିଂ କରାଯାଇଥିଲା । ହିଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାଙ୍କ ହତ୍ୟାରେ ଏହାକୁ ବ୍ୟବହାର କରାଯାଇଥିଲା।

ଇରାନର ସାମରିକ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରି କହିଛନ୍ତି, ଇସ୍ରାଏଲର ଅର୍ଥନୈତିକ କ୍ଷେତ୍ର ଉପରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ଆମ ପାଖରେ ଅଛି, କିନ୍ତୁ ଆମେ ସାମରିକ ଘାଟିକୁ ଟାର୍ଗେଟ କରିଛୁ। ଆମେରିକାର ସଂଯମ ଅନୁରୋଧ ଏବଂ ଗାଜାରେ ଅସ୍ତ୍ରବିରତିର ପ୍ରତିଶ୍ରୁତି ଯୋଗୁଁ ଏହା କରାଯାଇଛି।

ସେପଟେ ଇସ୍ରାଏଲ ଉପରେ ଆକ୍ରମଣ ପରେ ଆମେରିକା ଆଲର୍ଟ ମୁଡକୁ ଆସିଛି। ଏପରି ସ୍ଥଳରେ ଆମେରିକା ଇସ୍ରାଏଲ ସହିତ ରହିଛି ବୋଲି କହିଛି। ଆମେରିକାର ରାଷ୍ଟପତି ଜୋ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ ଏ ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଇସ୍ରାଏଲକୁ ସମସ୍ତ ପ୍ରକାର ସମର୍ଥନ ଆମେରିକା କରିବ ବୋଲି କୁହାଯାଇଛି। ସେହିପରି ଋଷ, ଚାଇନା, ଭାରତ ସମେତ ଅନେକ ଦେଶ ଏହା ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.