ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି ।
ଏହାକୁ ନେଇ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଆଉ କିଛି ବାଟ ହିଁ ନଥିଲା । ସରକାରରେ ସେ ୫ ବର୍ଷ ହେଲାଣି ସେବା କରୁଛନ୍ତି । ହେଲେ ବିଜେପି ତାଙ୍କ ବିରୁଦ୍ଧରେ ବାରମ୍ବାର ଷଡଯନ୍ତ୍ର ରଚିଲା । ଇଡି ଏବଂ ଇନକମ୍ ଟ୍ୟାକ୍ସ ଦ୍ବାରା ବାରମ୍ବାର ଜେରା କରାଇଲା । ଯେଉଁଥିରେ ଚାପରେ ପଡି କୈଳାଶ ଏପରି ପଦକ୍ଷେପ ନେଲେ ବୋଲି ଦାବି କରିଛନ୍ତି ସଞ୍ଜୟ ।
ଏଥିସହିତ ସଞ୍ଜୟ ଆହୁରି କହିଛନ୍ତି, ଯିଏ ଦିନେ ଦିଲ୍ଲୀ କ୍ୟାବିନେଟରେ ପ୍ରଶାସନିକ ସଂସ୍କାର, ପରିବହନ, ଗୃହ, ମହିଳା ଏବଂ ଶିଶୁ ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି ପୋର୍ଟଫୋଲିଓ ସମ୍ଭାଳିଥିଲେ ସେ ବର୍ତ୍ତମାନ ବିଜେପି ସ୍ୱରରେ କହୁଛନ୍ତି । ବିଜେପି ଏମିତି କରିବା ପାଇଁ ବହୁବାର ଚେଷ୍ଟା କରେ, ହେଲେ ସେମାନେ ବେଳେବେଳେ ସଫଳ ହୁଅନ୍ତି ଆଉ ବେଳେବେଳେ ନୁହେଁ । ଏ ସବୁ ହେଉଛି ବିଜେପିର ଷଡ଼ଯନ୍ତ୍ର ।
ସେପଟେ ସଞ୍ଜୟଙ୍କ ଆରୋପକୁ କଡା ଜବାବ ଦେଇଛନ୍ତି ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ରା ସଚଦେବା । ସେ ସଂଜୟଙ୍କୁ କଟାକ୍ଷ କରି କହିଛନ୍ତି, ଯଦି ତାଙ୍କୁ ଜଣାଥିଲା, କୈଳାଶ ଇଡି ଆଉ ସିବିଆଇ ଚାପରେ ଆସି ଦଳ ଛାଡିବେ ବୋଲି, ତାହାଲେ ସେମାନେ ତାଙ୍କୁ ମନ୍ତ୍ରୀ ପଦରେ କାହିଁକି ରଖିଥିଲେ । ତାଙ୍କୁ ପୂର୍ବରୁ ହିଁ ବାହାର କରିଦେବାର ଥିଲା । କୈଳାଶ ଗେହଲଟ ଆପର ମୁଖା ଖୋଲି ଦେଇଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦୁର୍ନୀତି ଉପରୁ ପରଦା ହଟାଇଛନ୍ତି । ଆଗକୁ ସେ ଆପର ସବୁ ଗୁମର ଖୋଲିବେ ବୋଲି କହିଛନ୍ତି ବୀରେନ୍ଦ୍ରା ।